ମହାରାଷ୍ଟ୍ର (ଏଟିଆର ବ୍ୟୁରୋ): ଗତକାଲି ଠାରୁ ଶିରିଡି ସାଇବାବା ମନ୍ଦିରକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଯେତେବେଳେ ମହାରାଷ୍ଟ୍ର ସରକାର ପାଥେରୀ ଗାଁକୁ ସାଇବାବାଙ୍କ ଜନ୍ମ ସ୍ଥାନ ଭାବେ ଘୋଷଣା କରିବା ସହ ଗ୍ରାମର ବିକାଶ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ । ଯାହାକୁ ବିରୋଧ କରିଥିଲେ ଶିରିଡିବାସୀ । ଏମିତିକି ଏହାକୁ ନେଇ ଆସନ୍ତାକାଲି ଶିରିଡି ବନ୍ଦ ରହିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
ତେବେ ଆସନ୍ତାକାଲି ମନ୍ଦିର ବନ୍ଦ ହେବନାହିଁ ବୋଲି ସିଇଓ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାର ପରଭଣୀ ଜିଲ୍ଲାର ପାଥରୀ ଗାଁକୁ ସାଇବାବାଙ୍କ ଜନ୍ମ ସ୍ଥାନ ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । ଏହି ଗାଁର ବିକାଶ ପାଇଁ ମହାରାଷ୍ଟ୍ର ସରକାର ୧୦୦ କୋଟି ଟଙ୍କା ଘୋଷଣା କରିବା ପରେ ଏବେ ସାଇବାବା ମନ୍ଦିରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏମିତିକି ସରକାରଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରିଛନ୍ତି ଶିରିଡି ଗ୍ରାମବାସୀ ।
ସେମାନଙ୍କ କହିବାନୁଯାୟୀ ସାଇବାବାଙ୍କ ଧର୍ମ ଏବଂ ତାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ସଠିକ୍ ପ୍ରମାଣ ନାହିଁ । ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦ ଏହା ପ୍ରଥମ ଥର ହୋଇନାହିଁ । ଏହାପୂର୍ବରୁ ବି ଏନେଇ ବିବାଦ ଉପୁଜିଛି ।