ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ସାନ ଭାଇ ଟିଭି ରିମୋଟ ନ ଦେବାରୁ ଆତ୍ମହତ୍ୟା କଲେ ନାବାଳିକା । ଏଭଳି ଅଭାବନୀୟ ଘଟଣା ଉତ୍ତର ପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଘଟିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ଅନୁସାରେ , ଘରେ ତିନି ଭାଇଭଉଣୀଙ୍କୁ ଛାଡି ବାପାମା କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଥିବା ସାନପୁଅ ଓ ସାନଝିଅ ଙ୍କ ମଧ୍ୟରେ ଟିଭି ଦେଖିବାକୁ ନେଇ ଝଗଡା ହୋଇଥିଲା । ଘରେଥିବା ୧୨ ବର୍ଷୀୟ ନାବାଳିକା ନିଜ ସାନଭାଇ(୭)କୁ କୌଣସି ଏକ ଟିଭି କାର୍ଯ୍ୟକ୍ରମ ଦେଖିବେ ବୋଲି ରିମୋର୍ଟ ମାଗିଥିଲେ । କିନ୍ତୁ ସାନ ଭାଇ ରିମୋଟ ଦେବାକୁ ମନା କରିଦେଇଥିଲେ ।
ଏହାକୁ ନେଇ ନାବାଳିକା ଓ ତାଙ୍କ ସାନଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଅନ୍ୟ ରୁମରେ ପାଠ ପଢୁଥିବା ସେମାନଙ୍କର ବଡଭାଇ(୧୭) ଆସି ସେମାନଙ୍କୁ ଝଗଡା ନ କରିବା ପାଇଁ ମନା କରିଥିଲେ । ହେଲେ କିଛି ସମୟ ପରେ ପୁଣି ଟିଭି ରୋମୋଟକୁ ନେଇ ନାବାଳିକା ଓ ସାନଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ନାବାଳିକା ଜଣକ ସାନଭାଇକୁ ଏକ ଚାପୁଡା ମାରିଥିଲେ ଓ ରାଗିଯାଇ ଗୋଟିଏ ଘରେ ଭିତରେ ପଶି କବାଟ ଦେଇଦେଇଥିଲେ । ଏହାପରେ ତାଙ୍କ ସାନ ଭାଇ ଯେତେ ଡାକିଲେ ମଧ୍ୟ ସେ ଶୁଣିନଥିଲେ । ପରେ ବଡଭାଇ ଘରର କବାଟ ଭାଙ୍ଗିଥିଲେ ।
ତେବେ ସେତେବେଳକୁ ନାବାଳିକା ଜଣକ ଘରର ଫ୍ୟାନରେ ଝୁଲି ସାରିଥିଲେ । ବଡଭାଇ ତାଙ୍କୁ ତଳକୁ ଆଣି ତାଙ୍କ ବାପା ମାଙ୍କୁ ଫୋନ କରିଥିଲେ । ଏହାପରେ ନାବାଳିକା ଜଣକୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ଗୁରୁତର ଅବସ୍ତାରେ ଚିକିତ୍ସା କରାଯାଇଥିଲେ ହେଁ ଗତ ରବିବାର ଦିନ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ନିଜ ପ୍ରତିକ୍ରିୟାରେ ଜଣାଇଛି ।