ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଲୱାମା ଆକ୍ରମଣ କୁ ଆଜି ବର୍ଷେ ପୁରିଛି । ଚାରିଆଡେ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ପୁରା ଦେଶକୁ ଦୋହଲାଇ ଦେଇଥିବା ସେଇ ବିଷ୍ଫୋରଣର ଦୃଶ୍ୟ ଆଜି ସମସ୍ତଙ୍କ ଆଖି ଆଗରେ ନାଚିଯାଉଛି ।
ଗତବର୍ଷ ଆଜିର ଦିନରେ ଭାରତ ତାର ୪୪ ବୀର ସନ୍ତାନକୁ ହରାଇଥିଲା । କିନ୍ତୁ ଆଜି ବି ଭାରତବାସୀଙ୍କ ଦୃଦୟରେ ସେମାନେ । ୨୦୧୯ର ଆଜିର ଦିନକୁ କେବେହେଲେ କେହି ଭୂଲିପାରିବେ ନାହିଁ ।
ଏକାସାଙ୍ଗରେ ୪୪ ଜଣ ଯବାନକୁ ହରାଇବା ପରେ ଦେଶର ସେନା ମଧ୍ୟ ଆତଙ୍କବାଦକୁ ନିପାତ କରିବା ପାଇଁ ଆହୁରି ଦୃଢ ସଂକଳ୍ପ କରିଛି । ଏହାପରେ ପୁଲୱାମା ଆକ୍ରମଣ ଘଟାଇଥିବା ଜୌସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଉପରେ ଭାରତୀୟ ସେନା ଏଆର ଷ୍ଟ୍ରାଇକ କରି ବହୁ ଆତଙ୍କବାଦୀଙ୍କୁ ନିହତ କରିଛି । ଏଥି ସହିତ ଜୌସ-ଇ-ମହମ୍ମଦ ସଂଗଠନର କମାଣ୍ଡରକୁ ମାରିବାରେ ସଫଳ ହୋଇଥିଲା ଭାରତୀୟ ସେନା ।
ତେବେ ଏହି ଆତ୍ମଘାତୀ ବିଷ୍ଫୋରଣରେ ଓଡ଼ିଶାର ଦୁଇ ଯବାନ ମଧ୍ୟ ସହୀଦ ହୋଇଥିଲେ । ଜଗତସିଂହ ପୁର ଜିଲ୍ଲାର ପ୍ରସନ୍ନ ସାହୁ (୪୭) ଓ କଟକ, ରତନପୁରର ମନୋଜ ବେହେରା(୩୩) ଙ୍କ ପାଇଁ ଓଡ଼ିଶା ଆଜି ଗୌରବାନିତ ।
ସହୀଦ ଯବାନମାନଙ୍କ ସ୍ମୃତିରେ ଆଜି ଲେଥପୁରା କ୍ୟାମ୍ପରେ ଏକ ସ୍ମାରକୀ ଉଦଘାଟନ କରାଯିବ । ଏହି ସ୍ମାରକୀରେ ସମସ୍ତ ସହୀଦ ହୋଇଥିବା ଯବାନଙ୍କ ନାମ ସହିତ ଫଟୋ ରହିଛି । ଏଥି ସହିତ ସିଆରପିଏଫର ସ୍ଳୋଗାନ ‘ସେବା ଓ ନିଷ୍ଠା’ ଲେଖା ରହିଛି ।