ଇସଲାମାବାଦ(ଏଟିଆର ବ୍ୟୁରୋ): ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ତାଙ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ପାକିସ୍ତାନ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ପାଇବା ପରେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ମୁଶାରଫ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ତେବେ ତାଙ୍କ ରାଷ୍ଟ୍ରପତି କାଳର ଶେଷ ସମୟରେ ଅର୍ଥାତ ୨୦୦୭ ମସିହାରେ ପାକିସ୍ତାନ ସମ୍ବିଧାନକୁ ରଦ୍ଦ କରିବା ସହ ସେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ । ଏହି ସମୟରେ ମୁଶାରଫ ବହୁ ରାଜନେତା ଓ ବିଚାରପତି ମାନଙ୍କୁ ବନ୍ଦୀ ବନାଇଥିଲେ ।
ଏହା ପରେ ୨୦୦୮ ମସିହାରେ ସେ ପାକିସ୍ତାନ ଛାଡି ପଳାଇଥିଲେ । ପୁଣି ୨୦୧୩ ମସିହାରେ ସେ ପାକିସ୍ତାନ ଫେରିଥିଲେ । ୨୦୧୪ ମସିହା ମାର୍ଚ୍ଚ ୩୧ ତାରିଖରୁ ମୁଶାରଫଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କୋର୍ଟ ଜାରି ରଖିଥିଲେ । ତେବେ ୨୦୧୬ ମସିହାରେ ସ୍ୱ୍ୟସ୍ଥାଗତ ସମସ୍ୟା ଦେଖାଇ ମୁଶାରଫ ଦୁବାଇକୁ ମେଡିକାଲ ଚେକଅପ ପାଇଁ ଯାଇଥିଲେ । ସେବେଠାରୁ ସେ ଆଉ ପାକିସ୍ତାନ ଫେରିନାହାନ୍ତି । ମୁଶାରଫ ସୁରକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଆଳ ଦେଖାଇ ଆଉ ପାକିସ୍ତାନ ଫେରୁ ନାହାନ୍ତି । ପାକିସ୍ତାନ କୋର୍ଟରେ ସେ ହାଜର ନହେବାରୁ ତାଙ୍କୁ କୋର୍ଟ ପଳାତକ ମଧ୍ୟ ଘୋଷଣା କରିଛି ।
ମୁଶାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧ ଷଡଯନ୍ତ୍ର କରୁଥିବା ମାମଲାରେ ଶୁଣାଣି କରି ସ୍ୱତନ୍ତ୍ର ପେଶୱାର କୋର୍ଟ ଏହି ରାୟ ଦେଇଛନ୍ତି । ଆଜି ପେଶୱାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୱାକର ଅହମ୍ମଦ ସେଠଙ୍କ ନେତୃତ୍ୱରେ ସିନ୍ଧି ହାଇକୋର୍ଟ ବିଚାରପତି ନଜର ଆକବର ଓ ଲାହୋର ହାଇକୋର୍ଟ ବିଚାରପତି ଶାହିଦ କରିମଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଏହି ରାୟ ପ୍ରକାଶ କରିଛନ୍ତି । ବର୍ତ୍ତମାନ ମୁଶାରଫ ଦୁବାଇରେ ଥିବା ଜଣା ପଡିଛି ।