ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତିଦିନ ବ୍ୟବହାର ହେଉଥିବା ଚିନିର ଦର ବୃଦ୍ଧି ପାଇପାରେ । ଦେଶରେ ଚିନି ଉତ୍ପାଦନ କମିଥିବାରୁ ଏହି ଦର ବୃଦ୍ଧି ପାଇପାରେ । ଭାରତୀୟ ଚିନି ମିଲ ସଂଘ ଅନୁସାରେ ମହାରାଷ୍ଟ୍ରରେ ପ୍ରମୁଖ ଚିନି ଉତ୍ପାଦନ ହେଉଥିବା ବେଳେ ସେଠାରେ ମିଲ ଗୁଡିକର ସଂଖ୍ୟା କମ ଥିବାରୁ ଚିନି ଉତ୍ପାଦନ କମିଛି । ସଂଘ ଅନୁସାରେ ଚଳିତବର୍ଷ ଆର୍ଥିକ ବର୍ଷର ଅକ୍ଟୋବର ଠାରୁ ଜାନୁଆରୀ ମଧ୍ୟରେ ୧୪୧.୧୨ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିବା ବେଳେ ଗତବର୍ଷ ତୁଳନାରେ ଯାହା କି ୨୪ପ୍ରତିଶତ କମ ରହିଛି । ପ୍ରତିବର୍ଷ ଚିନି ଉତ୍ପାଦନ ମୁଖ୍ୟତଃ ଅକ୍ଟୋବରରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ ।
ଅନ୍ୟପଟେ ପୂର୍ବବର୍ଷ ଏହି ସମୟରେ ଚିନି ଉତ୍ପାଦନ ୧୮୫.୫୯ ଲକ୍ଷ ଟନ ରହିଥିଲା । କିନ୍ତୁ ଏବର୍ଷ ୩୧ ଜାନୁଆରୀର ସ୍ଥିତି ଅନୁସାରେ ଦେଶରେ ୪୪୬ ଚିନି ମିଲ ଗୁଡିକ ୧୪୧.୧୨ଲକ୍ଷ ଟନ ଚିନି ଉତ୍ପାଦନ କରିଛନ୍ତି । ଭାରତୀୟ ଚିନି ମିଲ ସଂଘ ୨୦୧୯-୨୦ ବର୍ଷ ପାଇଁ ଦେଶର ଚିନି ଉତ୍ପାଦନ ୨୬୦ ଲକ୍ଷ ଟନ ରହିବା ନେଇ ଅନୁମାନ କରିଛି । ଚିନି ଉତ୍ପାଦନ କମିବା ପଛରେ ଇଥେନଲ ଉତ୍ପାଦନ ପାଇଁ ଆଖୁ ରସ ଏବଂ ବି ଗ୍ରେଡର ଶିରାର ହେବାକୁଥିବା ସ୍ଥାନାନ୍ତାରଣକୁ ଧ୍ୟାନରେ ରଖି ଅନୁମାନ କରାଯାଇଛି । ଶିରାର ଏଭଳି ସ୍ଥାନାନ୍ତରଣ ଫଳରେ ଚିନି ଉତ୍ପାଦନରେ ପ୍ରାୟ ୮.୫ଲକ୍ଷ ଟନ କମିବ । ଯାହାଫଳରେ ଚିନି ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।