ଆନ୍ଧ୍ରପ୍ରଦେଶ,(ଏଟିଆରବ୍ୟୁରୋ): ଆତ୍ମହତ୍ୟା କଲେ ପୂର୍ବତନ ବାଚଷ୍ପତି । ଲୋକଲଜ୍ଜାକୁ ସହି ନପାରି ସେ ଆତ୍ମହତ୍ୟା ବାଟ ଆପଣାଇଥିବା ଏବେ ଚର୍ଚ୍ଚା ହେଉଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚଷ୍ପତି ତଥା ଟିଡିପି ନେତା କୋଡେଲା ଶିବ ପ୍ରଶାଦଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । କୋଡେଲା ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଆର୍ଥିକ ହେରଫେର ଓ ଦୁର୍ନୀତି ଭଳି ସଂଗିନ୍ ଅଭିଯୋଗ ହୋଇ ଆସୁଥିଲା । ଖାସ ଏଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ସକାଳେ କୋଡେଲାଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ପରିବାର ସଦସ୍ୟ ଦେଖିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଅଲଗା ହେବା ପରେ ୬ଥରର ବିଧାୟକ କୋଡେଲା ଆନ୍ଧ୍ରର ପ୍ରଥମ ବାଚସ୍ପତି ହୋଇଥିଲେ। ୧୯୮୫ରେ ସେ ଏନ୍ଟିଆରଙ୍କ କ୍ୟାବିନେଟ୍ରେ ଗୃହମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ବେଳେ ସେ ପଞ୍ଚାୟତିରାଜ, ଜଳ ସେଚନ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ମଧ୍ୟ ଦାୟତ୍ୱ ସମ୍ପାଦନ କରିଥିଲେ।
ତେବେ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ କୋଡେଲାଙ୍କ ପୁଅ ଓ ଝିଅଙ୍କ ନାଁରେ ଥିବା ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନିଜେ କୋଡେଲା ରାଜ୍ୟ ବିଧାନସଭାରୁ ଚେୟାର ଟେବୁଲ ଚୋରି କରି ନେଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ।