ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରେ ହୋଇଥିବା ମୃତ୍ୟୁ ପାଇଁ ୫୦ ହଜାର କ୍ଷତିପୂରଣ ରାଶି ଦେବାର କେନ୍ଦ୍ରର ନିର୍ଦ୍ଦେଶକୁ ମଞ୍ଜରୀ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟି ପକ୍ଷରୁ କୁହାଯାଇଛି କି, ମୃତକଙ୍କ ପରିବାରକୁ ମିଳିବାକୁ ଥିବା ଏହି କ୍ଷତିପୂରଣ ରାଶି ଅନ୍ୟ କଲ୍ୟାଣ ଯୋଜନାଠାରୁ ଅଲଗା ହେବ । ଦାବିର ୩୦ ଦିନ ଭିତରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ଦିଆଯିବ ।
୨୩ ସେପ୍ଟମ୍ବରରେ ସୁପ୍ରିମକୋର୍ଟର ଜଷ୍ଟିସ ଏମ ଆର ଶାହ ଏବଂ ଏ ଏସ ବୋପନ୍ନାଙ୍କ ବେଞ୍ଚ ଏହି ମାମଲାରେ ଆଦେଶ ସୁରକ୍ଷିତ ରଖିଥିଲେ । ସେହିଦିନ କେନ୍ଦ୍ର, ପ୍ରତ୍ୟେକ ମୃତ୍ୟୁ ପାଇଁ ୫୦ ହାଜର ଟଙ୍କା ସହାୟତା କରିବାର ସୂଚନା କୋର୍ଟକୁ ଦେଇଥିଲେ ।
ଜୁନ୍ ୩୦ ରେ ଦିଆଯାଇଥିବା ଆଦେଶରେ ସୁପ୍ରିମକୋର୍ଟ କହିଥିଲେ ଯେ ଦେଶରେ କରୋନା କାରଣରୁ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯାଉ। ଏପରି ବିପଦରେ ଲୋକଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଆଇନଗତ କର୍ତ୍ତବ୍ୟ ବୋଲି କୋର୍ଟ କହିଥିଲେ। କିନ୍ତୁ କ୍ଷତିପୂରଣ ରାଶି କେତେ ହେବ ତାହା ସ୍ଥିର କରିବାକୁ କୋର୍ଟ ଏହାକୁ ସରକାରଙ୍କୁ ଛାଡି ଦେଇଥିଲେ। ତା’ପରେ ସୁପ୍ରିମକୋର୍ଟ ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ଏନଡିଏମଏ କୁ କ୍ଷତିପୂରଣ ରାଶି ଠିକ୍ କରି ୬ ସପ୍ତାହ ମଧ୍ୟରେ ରାଜ୍ୟମାନଙ୍କୁ ଜଣାଇବାକୁ କହିଥିଲେ। ପରେ ଏନଡିଏମଏ କୋର୍ଟରୁ ଅତିରିକ୍ତ ସମୟ ମାଗିଥିଲା। କୋର୍ଟଙ୍କ ନିଷ୍ପତ୍ତିର ପ୍ରାୟ ୧୨ ସପ୍ତାହ ପରେ କ୍ଷତିପୂରଣ ଉପରେ ଏହା ନିଷ୍ପତ୍ତି ନେଇଛି। ଏହାକୁ ବର୍ତ୍ତମାନ କୋର୍ଟ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି।