ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମୁକେଶ ରାଜକ୍ଷମା ଆବେଦନ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ ହୋଇଛି । ବିଚାରପତି ଆର.ଭାନୁମତି ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଆଜି ଖାରଜ କରିଛନ୍ତି । ଏହି ଆବେଦନର କୌଣସି ଯୁକ୍ତିଯୁକ୍ତ ଯଥାର୍ଥ ନଥିବା ସୁପ୍ରିମକୋର୍ଟ କହିଛନ୍ତି । ଜେଲରେ ଭୋଗିଥିବା ଦୂର୍ଦ୍ଦଶାକୁ କେବେ ହେଲେ ଯୁକ୍ତିଯୁକ୍ତ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ।
ଗତ ୨୭ ତାରିଖରେ ରାଜକ୍ଷମା ଆବେଦନ ନାକଚ ହେବା ବିରୋଧରେ ମୁକେଶ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଗତ ୧୭ ତାରିଖରେ ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ । ଏବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତଙ୍କ ଫାଶୀ ଏକ ପ୍ରକାର ସ୍ଥିର ହୋଇ ସାରିଛି । ଅନ୍ୟପଟେ ମୁକେଶ ତା ନିଜ ସହିତ ତିହାଡ ଜେଲରେ ଯୌନ ଶୋଷଣ ହେଉଥିବା ଅଭିଯୋଗ କରିଛି । ମୁକେଶକୁ ଅନ୍ୟ ଦୋଷୀ ଅକ୍ଷୟ ସହିତ ସମସ୍ତଙ୍କ ସମ୍ମୁଖରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ମୁକେଶ ଅଭିଯୋଗ କରିଥିଲା । ସୂଚନାଯୋଗ୍ୟ ଆସନ୍ତା ଫେବୃଆରୀ ୧ ତାରିଖରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଛି ।