ନୂଆଦିଲ୍ଲୀ (ଏଟିଆର ବ୍ୟୂରୋ ) ; ସୁପ୍ରୀମକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଲେ ୪ ଜଣ ଜଷ୍ଟିସ । ୪ ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ମିଳିବା ନେଇ ସୂଚନା ମିଳିଛି । ଏନେଇ ଗତକାଲି ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ରହିଥିବା ବେଳେ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆର ସୁବାସ ରେଡ୍ଡୀଙ୍କୁ ମଧ୍ୟ ସୁପ୍ରୀମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି ।
ଅନ୍ୟପଟେ ପାଟନା ହାଇକୋର୍ଟରୁ ଜଷ୍ଟିସ ଏମ ଆର ଶାହ ଓ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ସୁପ୍ରୀମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ଆଜି ଏ ସମସ୍ତେ ସୁପ୍ରୀମକୋର୍ଟର ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ।
ସୂଚନାଥାଉ କି , ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅଧ୍ୟକ୍ଷତାରେ କଲେଜିୟମ ଓ ବିଚାରପତି ନିଯୁକ୍ତ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ତେବେ ଆଜି ସୁପ୍ରୀମକୋର୍ଟର ନୂଆ ବିଚାରପତି ଭାବେ ୪ ଟି ହାଇକୋର୍ଟର ୪ ଜଣ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି ମିଳିଛି ।