ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ସୁପ୍ରିମ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିତାମ୍ବରଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜାମିନ ମଞ୍ଜୁର କରିଛି । ଅଗଷ୍ଟ ୨୧ ତାରିଖରୁ ଚିତାମ୍ବର ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିଲେ । ଜାମିନ ମିଳିଥିଲେ ମଧ୍ୟ ଚିତାମ୍ବର ମୁକୁଳି ପାରିନାହାନ୍ତି । କାରଣ ତାଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କରାଯାଇଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଜାମିନ ମିଳି ପାରିନାହିଁ ।
ତେବେ ବର୍ତ୍ତମାନ ଇଡି ଚିତାମ୍ବରଙ୍କୁ ପଚରାଉଚରା କରିବା ପାଇଁ ହେପାଜତକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ନେଇଛି । ଏଥିପାଇଁ ଇଡିକୁ ଅନୁମତି ମିଳିଛି । ତେବେ ଆସନ୍ତା ୨୪ ତାରିଖ ଦିନ ତାଙ୍କ ଜାମିନ ଶୁଣାଣି ଅଛି ଯଦି ସେହି ଦିନ ତାଙ୍କୁ ଜାମିନ ମୁଞ୍ଜୁର ହୋଇଯାଏ ସେ ମୁକୁଳି ପାରିବେ । ସୂଚନା ଅନୁସାରେ ଆଜି ସୁପ୍ରିମ କୋର୍ଟରେ ଜଷ୍ଟିସ ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିତାମ୍ବରଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ।
ଚିତାମ୍ବରଙ୍କୁ ଜାମିନ ମିଳିଥିଲେ ମଧ୍ୟ ସୁପ୍ରିମ କୋର୍ଟର କିଛି ସର୍ତ୍ତ ରଖିଛନ୍ତି । ଚିତାମ୍ବରଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ସୁପ୍ରିମ କୋର୍ଟର ବିନା ଅନୁମତିରେ ଦେଶ ଛାଡି ଯାଇପାରିବେ ନାହିଁ । ଏହା ସହ ତଦନ୍ତକାରୀ ସସ୍ଥା ତାଙ୍କୁ ତଦନ୍ତ ପାଇଁ ଯେତେବେଳେ ଡାକିବେ ସେ ହାଜର ହେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛି ।