ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ମୁମ୍ବାଇର ଆରେ କଲୋନୀରେ ୨୫୦୦ରୁ ଅଧିକ ଗଛ କଟାହେବା ମାମଲାରେ ଆଜି ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ଖଣ୍ଡପୀଠ ନିଜର ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ ବର୍ତ୍ତମାନ କୌଣସି ଗଛ କାଟିବାକୁ ମନା କରି ଦେଇଛନ୍ତି ଏବଂ ଏହି ବାବଦରେ ସମୀକ୍ଷା କରିବାକୁ କହିଛନ୍ତି । ମୁମ୍ବାଇ ସରକାରଙ୍କ ତରଫରୁ ଲଢୁଥିବା ଓକିଲଙ୍କ କହିବା ଅନୁଯାୟୀ କଲୋନୀଟି ପ୍ରାୟ ୩୦୦୦ଏକର ହୋଇଥିବା ବେଳେ ଏହାର କେବଳ ୨ ପ୍ରତିଶତ ନିଆଯାଇଛି ।
ଏହା ଉପରେ କୋର୍ଟ ନିଜ ରାୟ ଦେଇ କହିଛନ୍ତି କି, ଏଥିରୁ କୌଣସି ଫରକ ପଡୁନାହିଁ କି କେତେ ଜମି ନିଆଯାଉଛି ଯଦି ଗଛ କାଟିବାର ଆବଶ୍ୟକତା ନାହିଁ ତେବେ ଗଛ ନକଟା ହେଉ । ଆରେ ଠାରେ ଗଛ କାଟିବାକୁ ବିରୋଧ କରୁଥିବା ଲୋକଙ୍କୁ ୨ଦିନ ପାଇଁ ଗିରଫ କରାଯିବା ପରେ ଏବେ ସେମାନଙ୍କୁ ଛାଡି ଦିଆଯାଇଛି ବୋଲି ସୂଚନା ମିଳିଛି । ଏହି ମାମଲା ବିରୋଧରେ ସୁପ୍ରିମକୋର୍ଟରେ ରିଷବ ରଞ୍ଜନ ନାମକ ଜଣେ ଯୁବକ ପିଟିସନ ଦାଖଲ କରିଥିଲେ । ଏହାର ତକ୍ରାଳ ବିଚାର କରିବା ପାଇଁ ଚିପ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖି ଜଣାଇଥିଲେ ।
ଯାହା ଆଧାରରେ ଏକ ସ୍ୱତନ୍ତ୍ର ଖଣ୍ଡପୀଠର ଗଠନ କରାଯାଇଥିଲା । ଆରେ କଲୋନୀରେ ଏବେ ଯାଏଁ ଧାରା ୧୪୪ ଲାଗୁ ରହିଛି । ପ୍ରଶାସନର ଗଛ କାଟିବାକୁ ବିରୋଧ ତୀବ୍ର ହେଉଥିବାର ଦେଖି ଶନିବାରଠାରୁ ଧାରା ୧୪୪ ଲାଗୁ ହେବା ସହ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ରବିବାର ଦିନ ଜାମିନ ଦିଆଯାଇଥିଲା । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୨୧କୁ ସ୍ଥିର କରିଛନ୍ତି କୋର୍ଟ ।