ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ବିଜେପି ଓ ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଢିବା ପରେ ଏନେଇ କଂଗ୍ରେସ, ଶିବସେନା ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ବିରୋଧରେ ଆବେଦନ ହୋଇଥିଲା । ଯାହାର ଶୁଣାଣୀ ଆଜି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ କରିବେ । ଆଜି ଦିନ ସାଢେ ୧୧ ଟା ବେଳେ ଏହି ମାମଲାର ଶୁଣାଣୀ କରାଯିବ । ଏହି ତିନି ଦଳ ଆବେଦନରେ ଦର୍ଶାଇଛନ୍ତି ତାଙ୍କ ସହିତ ୧୫୪ ଜଣ ବିଧାୟକ ରହିଛନ୍ତି । ଫ୍ଲୋରକୁ ଡାକି ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି । ରାଜ୍ୟପାଳ ଏହି ତିନି ଦଳକୁ ସରକାର ଗଢିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଶପଥ ପାଠ ଏତେ ସକାଳୁ କରିବାର କ’ଣ ଆବଶ୍ୟକତା ରହିଥିଲା । ଅନ୍ୟପଟେ ସୂର୍ଯ୍ୟଉଦୟ ପୂର୍ବରୁ କିଭଳି ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଗଲା ତାହା ମଧ୍ୟ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନବିସ । ରାଜ୍ୟପାଳ ଭଗତ ସିଂ ଦେବେନ୍ଦ୍ର ଫଡନବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁମ୍ବାଇରେ ଆଜି ସକାଳ ୮ ଟା ବେଳେ ଏହି ଶପଥପାଠ ହୋଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି ।