ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା କମିଟି ବନ୍ଦ କରିବା ମାମଲାର ଶୁଣାଣୀ କରି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି ଆମେ ମଧ୍ୟସ୍ଥତା ପାଖରୁ ରିପୋର୍ଟ ମାଗିଛୁ । ଯଦି ଏହି କମିଟି ମଧ୍ୟସ୍ଥତା ବନ୍ଦ କରିବା ସପକ୍ଷ ରେ ରହିବେ ଏହାର ଶୁଣାଣୀ ଆସନ୍ତା ଜୁଲାଇ ୨୫ ତାରିଖରେ ହେବ । ସୂଚନାଯୋଗ୍ୟ ଏହି ମାମଲାରେ ଗୋପାଳ ବିଶାରଦ ସୁପ୍ରିମକୋର୍ଟକୁ ଅପିଲ କରିଥିଲେ କି ମଧ୍ୟସ୍ଥତା କମିଟି ମାଧ୍ୟମରେ କୌଣସି ସଫଳତା ମିଳିବ ନାହିଁ । ତେଣୁ କୋର୍ଟ ଯଥା ଶିଘ୍ର ଏହି ମାମଲାର ଶୁଣାଣୀ କରି ରାୟ ଦିଅନ୍ତୁ ।
ତେବେ ସୁପ୍ରିମ କୋର୍ଟ ଏହାର ଶୁଣାଣୀ କରି କହିଛନ୍ତି ପ୍ରଥମେ ମଧ୍ୟସ୍ଥତାର ରିପୋର୍ଟ ଦେଖାଯିବ । ପରେ ଏହି ରିପୋର୍ଟ ଅନୁସାରେ ହିଁ ନିଷ୍ପତ୍ତି ଅନିଆଯିବ । ଆହୁରି ମଧ୍ୟ କହିଛନ୍ତି ସମୟର ସଦୁପଯୋଗ କରିବା ପାଇଁ ମଧ୍ୟସ୍ଥତା କମିଟି ଗଠନ କରାଯାଇଛି । ଯେଉଁଥି ପାଇଁ କମିଟିକୁ ୮ ସପ୍ତାହ ଦିଆଯାଇଥିଲା । ମାତ୍ର କମିଟିର ଅନୁରୋଧ କ୍ରମେ ସମୟ ବଢାଯାଇ ଅଗଷ୍ଟ ୧୫ କୁ ଦିଆ ଯାଇଛି ।
ତେବେ ଏହାକୁ ନେଇ ଗୋପାଳ ସିଂହ ବିଶାରଦଙ୍କ ଓକିଲ କହିଛନ୍ତି ମାମଲା ଲମ୍ଭା ସମୟ ଧରି ଚାଲି ଆସୁଛି । ଆମେ ୧୯୫୦ ମସିହା ଜାନୁଆରିରେ ମାମଲା ଦାୟର କରିଥିଲୁ । ମାମଲା ଦାୟର କରିଥିବା ମୁଦାଲାଙ୍କର ମୃତ୍ୟୁ ହୋଇ ସାରିଛି । ତାଙ୍କ ଅନ୍ତେ ତାଙ୍କ ପୁତ୍ର ଲଢୁଛନ୍ତି । ସେହିଭଳି ମୁସଲିମ ପକ୍ଷରୁ ମାମଲା ଲଢୁଥିବା ଓକିଲ ରାଜୀବ ଧୱନ କହିଛନ୍ତି ମଧ୍ୟସ୍ଥତା କମିଟିର ନିନ୍ଦା କରିବା ଉଚିତ ନୁହେଁ । ଗୋଟିଏ ପକ୍ଷ ମଧ୍ୟସ୍ଥତାରେ ସନ୍ତୁଷ୍ଟ ନୁହେଁ ମାତ୍ର ଅନ୍ୟପକ୍ଷ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି । ତେଣୁ ଏହି ପ୍ରକ୍ରିୟାକୁ ବନ୍ଦ କରିବା ଠିକ ନୁହେଁ ।