ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ଗାଡି ଚାଳକମାନେ ଫୋନର ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । ତେବେ ପୂର୍ବରୁ ଗାଡି ଚାଳନ ସମୟରେ ଫୋନର ବ୍ୟବହାର କରୁଥିଲେ ଦେବାକୁ ପଡୁଥିଲା ମୋଟା ଆକାରର ଜୋରିମାନା । ଏବେ କିନ୍ତୁ ଜୋରିମାନା ନୁହେଁ ବଂର ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ସଡକ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏହିଭଳି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ମୋବାଇଲରେ ଗପି ଗାଡି ଚଳାଇଲେ ଲାଇସେନ୍ସ ବାତିଲ ହେବ । ଆଜି ଏନେଇ ପରିବହନ କମିସନର ସମସ୍ତ ଆରଟିଓଙ୍କୁ ଚିଠି ଲେଖିବା ସହ ନିମୟ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି କି, ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ଓଭରଲୋଡିଂ, ନିଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡି ଚଳାଇବା, ମାଲବାହୀ ଯାନରେ ଯାତ୍ରୀ ପରିବହନ କରୁଥିବା ବେଳେ ଧରାପଡିଲେ ଲାଇସେନ୍ସ ବାତିଲ ହେବ କୁହାଯାଇଛି । ଅନ୍ୟପଟେ ସୁପ୍ରିମକୋର୍ଟ ମଦ୍ୟପ ଗାଡି ଚାଳକଙ୍କ ଉପରେ ହେଉଥିବା କାର୍ଯ୍ୟନୁଷ୍ଠାନ ଉପରେ ଉଦବେଗ ପ୍ରକାଶ କରିଛନ୍ତି । ପୂର୍ବରୁ ମଦ୍ୟପ ଗାଡଇ ଚାଳକଙ୍କ ଲାଇସେନ୍ସ ବାତିଲ ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ଥିଲା ।
କିନ୍ତୁ ମଦ୍ୟପ ଚାଳକଙ୍କ ଉପରେ ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉନାହିଁ । ଏହାର ପ୍ରମାଣ ସୁପ୍ରମିକୋର୍ଟ କମିଟିର ତ୍ରୈମାସିକ ସମୀକ୍ଷା କଲା ବେଳେ ଜଣାପଡିଥିବାରୁ ସୁପ୍ରମିକୋର୍ଟ କମିଟି ଏହା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । କିପରି ମଦ୍ୟପାନ କରି ଗାଡି ଚଲାଉ ଥିଲେ ଗାଡି ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେବ ସେ ଦିଗରେ କଡା ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।