ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେଷାରେ ସେ ଜଣେ ପୋଷ୍ଟମ୍ୟାନ୍ । ପ୍ରତିଦିନ ଲୋକଙ୍କ ପାଖରେ ଚିଠି ପହଁଚାଇବା ହେଉଛି ତାଙ୍କର କାମ । କିନ୍ତୁ ସେ ଖରାବର୍ଷା କିଛି ଖାତିରି କରନ୍ତି ନାହିଁ । ସବୁଠାରୁ ବଡ କଥା ହେଲା ସେ ଚିଠି ବାଣ୍ଟିବା ପାଇଁ କୌଣସି ଗାଡି ବା ସାଇକେଲ ବ୍ୟବହାର କରନ୍ତି ନାହିଁ । ନିୟମିତ ୧୫ କିଲୋମିଟରେ ଚାଲି ଚାଲି ଲୋକଙ୍କ ପାଖରେ ଚିଠି ପହଁଚାନ୍ତି । ସେଥିପାଇଁ ବାଟରେ ଅନେକ ପାହାଡ ଓ ଜଙ୍ଗଲ ବି ପଡେ । ଏହାସହିତ ସେ ଅନେକ ବିପଦପୂର୍ଣ୍ଣ ଜୀବଯନ୍ତୁଙ୍କ ସାମ୍ନା ମଧ୍ୟ କରିଛନ୍ତି । କିନ୍ତୁ କେବେ ସେ ନିଜ କର୍ମ କରିବା ପାଇଁ ପଛ ଘୁଞ୍ଚ ଦେଇ ନାହାନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ତାମିଲନାଡୁର ୬୫ ବର୍ଷିୟ ଡି ଶିବନ । ସେ ଗତ ସପ୍ତାହରେ ଚାକିରୀରୁ ଅବସର ନେଇଛନ୍ତି । ତାଙ୍କର ଏହି କାହାଣୀ ଏବେ ସୋସଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଶିବନଙ୍କର ଏହି କାହାଣୀକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବା ପାଇଁ ଲୋକେ ଅନୁରୋଧ ମଧ୍ୟ କରିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଶିବନ ସ୍ଥିର କରିଥିଲେ କି ଯେପର୍ଯ୍ୟନ୍ତ ସେ ରିଟାୟର ନହୋଇଛନ୍ତି ସେପର୍ଯ୍ୟନ୍ତ ସେ ତାଙ୍କ ଡ୍ୟୁଟି ନିଷ୍ଠାର ସହିତ କରିବେ । ୬୫ ବର୍ଷ ବୟସରେ ଗତ ସପ୍ତାହରେ ସେ ଚାକିରୀରୁ ରିଟାୟର ହୋଇଛନ୍ତି । ମାସିକ ୧୨ ହଜାର ଟଙ୍କା ଦରମା ପାଉଥିଲେ ଶିବନ । କିନ୍ତୁ କେବେ ବି ତାଙ୍କ ଦରମାକୁ ନେଇ ଅଭିଯୋଗ କରି ନାହାନ୍ତି ସେ । ବରଂ ନିଷ୍ଠାର ସହ ସବୁ ବାଧା ବିଘ୍ନକୁ ଏଡାଇ ୩୦ ବର୍ଷ କାଳ ନିଜ କର୍ମ କରିଚାଲିଥିଲେ ।