ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଇନିଜ୍ ମୋବାଇଲ ଆପ୍ ଟିକ୍ ଟକ୍ କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯେଉଁ ୧୫ ସେକେଣ୍ଡର ଟିକ୍ ଟକ୍ ଭିଡିଓ କରିବା ପାଇଁ ଛୋଟ ପିଲାଠୁ ଲଗେଇ ବୁଢା ଯାଏଁ ସମସ୍ତେ ଏଥିରେ ବାଇଆ । ତାହା ଏବେ ବନ୍ଦ ହୋଇଯିବା ଖବର ସାମ୍ନାକୁ ଆସିବା ପରେ ଟିକ୍ ଟକ୍ ପ୍ରେମୀଙ୍କ ହୋସ ଉଡି ଯାଇଛି । ଏହି ଆପ୍ ଜରିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବିଭିନ୍ନ ଟ୍ୟାଲେଣ୍ଟ ଦେଖାଇଥାନ୍ତି । ବଡ ପରଦାରେ ନ ହେଉ ପଛେ ଏହି ମୋବାଇଲ ଆପ୍ ଜରିଆରେ ନିଜ ଅଭିନୟର ଟ୍ୟାଲେଣ୍ଟ ଦେଖାଇ ଭୋକ ମେଣ୍ଟାଇଥାନ୍ତି ଯୁବପିଢୀ । ଏହାସହିତ ଏହି ଆପ୍ ଜରିଆରେ ଲୋକେ ମନୋରଞ୍ଜିତ ହେଉଥିବା କଥା କହିଲେ ଭୁଲ୍ ହେବନି । ଏଥିରେ ରୋମାନ୍ସ, କମେଡି , ଡ୍ୟାନ୍ସ, ଫାଇଟିଙ୍ଗ ଆଦି ସବୁକିଛି ଦେଖିବାକୁ ମିଳିଥାଏ । ମାତ୍ର ଏହା ବନ୍ଦ ହୋଇଯିବା କଥା ଶୁଣି ଚିନ୍ତାରେ ପଡିଛନ୍ତି ଟିକ୍ ଟକ୍ ପ୍ରେମୀ ।
ଗତ ମଙ୍ଗଳବାର ତାମିଲନାଡୁର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମଣିକାନଦାନ କହିଛନ୍ତି କି, ‘ ଟିକ୍ ଟକ୍ ଆପ୍ କୁ ଖୁବ୍ ଶୀଘ୍ର ବନ୍ଦ କରିବା ଲାଗି ସେ କେନ୍ଦ୍ରସରକାରଙ୍କୁ ଜଣାଇବେ । କାରଣ ଏହି ଆପ୍ ମାଧ୍ୟମରେ ଯୁବପିଢୀ ଅଶ୍ଳୀଳ ଭିଡିଓ ଅପଲୋଡ କରୁଛନ୍ତି । ଯାହାଫଳରେ ଏହା ସମାଜର ସଂସ୍କୃତିକୁ ନଷ୍ଟ କରୁଛି । ଏହାସହିତ ପରମୁହୁର୍ତ୍ତରେ ଏହି ଅଶ୍ଳୀଳ ଭିଡିଓ ପାଇଁ ଯୁବପିଢୀ ବିପଦରେ ମଧ୍ୟ ପଡୁଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ମନ୍ତ୍ରୀ ମହୋଦୟ ବିଧାନସଭାରେ ଉଠାଇଥିବା ଏହି ପ୍ରଶ୍ନ ଉପରେ ଅନେକ ନେତା ମନ୍ତ୍ରୀ ମାନେ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି ।’