ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଗଲୱାନ ଘାଟିରେ ଭାରତ-ଚୀନ ସୈନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଲଦାଖରେ ଦେଶକୁ ସୁରକ୍ଷା ଦେଉଥିବା ବେଳେ ନିଜ ଜୀବନର ବଳିଦାନ ଦେଇଥିବା ୧୯ ଯବାନ ସମତେ କର୍ନଲ ସନ୍ତୋଷ ବାବୁଙ୍କୁ ସାରା ଭାରତ ଝୁରୁଛି । କର୍ନଲଙ୍କ ସହିଦ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବେ କର୍ନଲ ସନ୍ତୋଷଙ୍କ ପରିବାରକୁ ପାଞ୍ଚ କୋଟି ଟଙ୍କାର ସମ୍ମାନ ରାଶିର ଘୋଷଣା କରିଛନ୍ତି । ଏହାବ୍ୟତିତ ଲଦାଖରେ ପ୍ରାଣ ହରାଇଥିବା ଅନ୍ୟ ୧୯ ଜଣ ଯବାନଙ୍କ ପରିବାରକୁ ବି ତେଲେଙ୍ଗାନା ସରକାର ୧୦ ଲକ୍ଷ ଲେଖାଁଏ ସମ୍ମାନ ରାଶି ପ୍ରଦାନ କରିବେ ।
ତେଲେଙ୍ଗାନାର କେସିଆର ସରକାର ଘୋଷଣା କରିଛନ୍ତି କି, ରାଜ୍ୟ ସରକାରଙ୍କ ପକ୍ଷରୁ କର୍ନଲ ସନ୍ତୋଷ ବାବୁଙ୍କ ପରିବାରକୁ ୫ କୋଟି ଟଙ୍କାର ସହାୟତା ରାଶି, ଏକ ରେସିଡେନସିଆଲ ଫ୍ଲାଟ ଏବଂ ତାଙ୍କ ପତ୍ନୀଙ୍କୁ ଚାକିରୀ ଦିଆଯିବ । କେବଳ ଏତିକି ନୁହେଁ ସହିଦ ହୋଇଥିବା ଅନ୍ୟ ରାଜ୍ୟର ୧୯ ଯବାନଙ୍କ ପରିବାରକୁ ମଧ୍ୟ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସୈନ୍ୟ ସଂଘର୍ଷ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ଚୀନ୍ ର ମଧ୍ୟ ୪୩ ଜଣ ସୈନ୍ୟ ମୃତାହତ ହୋଇଥିଲେ ।