କୋଣାର୍କ (ଏଟିଆର ବ୍ୟୁରୋ): ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଅଧିକ ସଂଖ୍ୟାକ ପର୍ଯ୍ୟଟକ ପୁରୀ ଓ କୋଣାର୍କକୁ ବୁଲିବାକୁ ଆସୁଥିବା ବେଳେ ଆହୁରୀ ଅଧିକ ସଂଖ୍ୟକ ପର୍ଯ୍ୟଟକ ଯେପରି ଉପକୂଳ ଓଡିଶା ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ରକୁ ଏକ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବ ଅନୁଯାୟୀ, ପୁରୀ -କୋଣାର୍କକୁ ବିମାନ ଚଳାଚଳ ନେଇ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।
ତେଣୁ ଖୁବଶୀଘ୍ର ପୁରୀ-କୋଣାର୍କକୁ ଉଡିବ ବିମାନ । ଆଇକନ ସାଇଟ ହେବ ପୁରୀ କୋଣାର୍କ । ଏନେଇ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟ ସରକାର ଆରମ୍ଭ କରିଥିବା ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଗୁଜୁରାଟର କଛରେ ହେଉଥିବା ରନ ଉତ୍ସବ ଭଳି କାର୍ଯ୍ୟକ୍ରମ ଅଟେ । ଏହି କାର୍ଯ୍ୟକ୍ରମ ହେବା ଦ୍ୱାରା ଅଧିକ ସଂଖ୍ୟରେ ପର୍ଯ୍ୟଟକ ଓଡିଶା ଆସିବାକୁ ଆଗ୍ରହୀ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ।
ଆଜି ଓଡିଶା ଆସି ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ପଥର ସ୍ଥାନରେ ସାଧା ପଥର ଲଗାଯାଉଥିବାର ଅଭିଯୋଗ ବାରମ୍ପାର ଆସିବାରୁ ଆଜି କେନ୍ଦ୍ର ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ । ଏହାପରେ ମନ୍ତ୍ରୀ କହିଛନ୍ତି, କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷିତ ଅଛି , ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ସୁରକ୍ଷିତ ରହିବ । ଏହାଛଡା ପୁରୀ ଓ କୋଣାର୍କକୁ ଆଇକନିକ ସିଟି ତାଲିକାରେ ସାମିଲ କରାଯିବ । କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି କରାଯାଉଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ କେନ୍ଦ୍ର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ପ୍ରତିକ୍ରିୟା ଦେଇଥିଲେ । ମନ୍ତ୍ରୀ କୋଣାର୍କ ମନ୍ଦିରର ଅନୁଧ୍ୟାନ ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିଛନ୍ତି ।