ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ପୂର୍ବରୁ ଆମେ ସିନେମାରେ ଦେଖିଛେ ଓ ପୁୁରୁଖା ଲୋକଙ୍କ ଠାରୁ ଶୁଣିଛେ ଗାଁ ମୁଖିଆଙ୍କ ଆଗରେ କେହି ଚପଲ ପିନ୍ଧି ଯାଇ ପାରିବେ ନାହିଁ । ଯାହାକୁ ସିଧା ସିଧା କହିଲେ ହିଟଲର ଶାସନ । ସମୟ ସହିତ ତାଳ ଦେଇ ଏବେ ସମାଜ ବଦଳିଛି । ସ୍ୱାଧୀନତା ସମସ୍ତଙ୍କ ପାଇଁ ନୂଆ ଦିଶା ଆଣିଲା । ଗଣତନ୍ତ୍ର ବ୍ୟବସ୍ଥାରେ ନିଜ ଇଚ୍ଛା ଅନୁସାରେ ଖାଇବା , ପିଇବା ଓ ରହିବାର ସ୍ୱାଧୀନତା ସମସ୍ତଙ୍କର ରହିଛି । ହେଲେ ନୋଇଡାରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ପୁଣି ପରାଧୀନ ଭାରତକୁ ଫେରାଇ ନେବ ।
ଜଣେ ଝିଅ ବୁଲେଟ ଚଲାଇବାରୁ ଗ୍ରାମର କିଛି ଯୁବକ ଝିଅଟିର ବାପାଙ୍କୁ ଗୁଳି ମାରିଛନ୍ତିି । ଖବର ମୁତାବକ ନୋଏଡା ଜାରଚା ଅଞ୍ଚଳର ମିଲକ ଖଟାୱା ଗ୍ରାମର ଜଣେ ଯୁବତୀଙ୍କର ବୁଲେଟ ଚଲାଇବାର ବହୁତ ସୌକ ରହିଛି । ଏଥିପାଇଁ ଯୁବତୀଙ୍କ ବାପା ନିଜ ଝିଅକୁ ଏକ ବୁଲେଟ ଦେଇଥିଲେ ଚଲାଇବାକୁ । ମାତ୍ର ଜଣେ ଯୁବତୀଙ୍କ ର ଗାଁ ଭିତରେ ବୁଲେଟ ଚଲାଇବାକୁ ଗ୍ରାମର କିଛି ମୁଷ୍ଟିମେୟ ଲୋକ ପସନ୍ଦ କରୁ ନଥିଲେ । ଏଥି ପାଇଁ ଯୁବତୀଙ୍କ ବାପାଙ୍କୁ ଧମକ ମଧ୍ୟ ଦେଇଥିଲେ ।
ହେଲେ ଯୁବତୀ ଓ ତାଙ୍କ ବାପା ଏହାକୁ ମାନି ନଥିଲେ । ଯାହା ଫଳରେ ଗ୍ରାମର ବବୁଲ ନାମକ ଜଣେ ଯୁବକ ଓ ତା ସହିତ ଆଉ ଦୁଇ ଜଣ ଯୁବକ ସିଧା ଯୁବତୀଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ଫାଇରିଙ୍ଗ କରିଥିଲେ । ଫାଇରିଙ୍ଗ ପରେ ଏନେଇ ଥାନାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲେ । ଯୁବତୀଙ୍କ ପରିବାର ପକ୍ଷରୁ ଏବେ ୩ ଜଣ ଯୁବକଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ବବୁଲ ପୂର୍ବରୁ ଏମିତି ଅନେକ ମାମଲାରେ ଜେଲ ଯାଇଥିବା ଜଣା ପଡିଛି ।