ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରୁ ପାଖାପାଖି ୩ ହଜାର ଟନ୍ ରୁ ଅଧିକ ସୁନା ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣକୁ ହସ୍ତାନ୍ତର ହୋଇଛି । କେବଳ ଗୋଟେ ସ୍ଥାନରୁ ନୁହେଁ ବରଂ ଦୁଇ ଦୁଇଟି ସ୍ଥାନରୁ ଏହି ସୁନା ମିଳିଛି । ଯାହା ଭାରତ ପାଖରେ ଥିବା ସ୍ୱର୍ଣ୍ଣ ଭଣ୍ଡାରର ପାଖାପାଖି ୫ ଗୁଣା ଅଧିକ ଥିବା ଆକଳନ କରାଯାଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଜିଲ୍ଲା ଖଣିଜ ଅଧିକାରୀଙ୍କ ମୁତାବକ, ଏହି ସୁନା ପାହାଡିଆ ଅଞ୍ଚଳ ତଥା ହର୍ଦି ଅଞ୍ଚଳରୁ ମିଳିଛି । ଏହି ସୁନା ଭଣ୍ଡାରର ସନ୍ଧାନ ପାଇଁ ଗତ ୨୦ ବର୍ଷ ହେବ ଚେଷ୍ଟା ଜାରିଥିଲା ।
ଏହି ସୁନା ସୋନ ପାହାଡରୁ ପାଖାପାଖି ୨୯୪୩.୨୬ ଟନ୍ ଏବଂ ହର୍ଦି ବ୍ଲକରୁ ୬୪୬.୧୬ ଟନ୍ ସୁନା ମିଳିଛି । ସୁନା ବ୍ୟତିତ ଏଠାରୁ ଅନ୍ୟ ଖଣିଜ ପଦାର୍ଥମାନ ମଧ୍ୟ ମିଳିଛି ।
ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ୬୨୬ ଟନ୍ ସ୍ୱର୍ଣ୍ଣ ଭଣ୍ଡାର ରହିଛି । ମାତ୍ର ଏହି ନୂତନ ସ୍ୱର୍ଣ୍ଣ ଭଣ୍ଡାର ଏହାର ପାଞ୍ଚ ଗୁଣା ଅଟେ । ଯାହାର ଆନୁମାନିକ ଦର ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ପୂର୍ବରୁ ହର୍ଦି ଅଞ୍ଚଳରେ ସୁନା ରହିଥିବାର ଖବର ରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା ସାଉଣ୍ଟିଥିଲା । ମାତ୍ର ଏବେ ଯେତେବେଳେ ଏହି ପାହାଡରୁ ସୁନା ମିଳିଥିବାର ଖବର ସାମ୍ନାକୁ ଆସିଲା, ଲୋକଙ୍କ ମନରେ ଏହି ପାହାଡ ପ୍ରତି ଆଶା ଅଧିକ ଜାଗୃତ ଉଠିଛି ।
ସୂଚନାଯୋଗ୍ୟ , ଏହି ପାହାଡ ଶିବ ପାହାଡ ନାମରେ ବି ପରିଚିତ । ଏଠାରେ ଶହ ଶହ ଟନ୍ ର ଖଜଣା ଲୁଚି ରହିଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି । ସେପଟେ ଖଣିଜ ସ୍ଥଳର ଜିଓ ଟ୍ୟାଗିଙ୍ଗ ପାଇଁ ଏକ ସାତ ଜଣିଆ ଟିମ୍ ଗଠନ କରାଯାଇଛି । ଯାହାର ରିପୋର୍ଟ ଫେବୃଆରୀ ୨୨ ରେ ଲକ୍ଷେ୍ନøକୁ ହସ୍ତାନ୍ତର କରାଯିବ ।
ସେଠାକାର ଖଣିକର୍ମ ପ୍ରଭାରିଙ୍କ ମତରେ, ପଡରକ୍ଷ ପାହାଡରେ ୬୪୬.୧୫ କିଲୋ ସୁନା ମିଳିବାର ଅନୁମାନ ଡିଜିଏମ ଲକ୍ଷେ୍ନø ଦ୍ୱାରା କରାଯାଇଛି । ଏହି ଅଞ୍ଚଳରେ ବନ ଏବଂ ରାଜସ୍ୱ ବିଭାଗର ସଂଯୁକ୍ତ ସହଯୋଗ ଦ୍ୱାରା ସୀମାଙ୍କନର କାର୍ଯ୍ୟ କରାଯାଉଛି । ସୀମାଙ୍କନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଇ-ଟେଣ୍ଡରିଙ୍ଗ ପ୍ରକ୍ରିୟା କରାଯିବ ।
ସେହି ଅଞ୍ଚଳରେ ଲଗାତର ୧୫ ଦିନ ହେବ ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ସର୍ଭେ କରାଯାଉଛି । କୁହାଯାଉଛି କି ଆକାଶ ମାର୍ଗ ସର୍ଭେ ଦ୍ୱାରା ୟୁରେନିୟମ ଥିବାର ସ୍ପଷ୍ଟ କରାଯାଉଛି ।
ଗୋଲ୍ଡ ରିଜର୍ଭ କ’ଣ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ରଖାଯାଇଥିବା ସୁନାକୁ ସ୍ୱର୍ଣ୍ଣ ଭଣ୍ଡାର ବା ଗୋଲ୍ଡ ରିଜର୍ଭ କୁହାଯାଇଥାଏ । ଯେଉଁ ସୁନା ଆର୍ଥିକ ସଙ୍କଟ ସମୟରେ କାମ ଆସିଥାଏ । ଏହା ଦେଶର ମୁଦ୍ରାର ରକ୍ଷା କରିଥାଏ । ଭାରତର ରିଜର୍ଭ ବ୍ୟାଙ୍କ ଏହି କାମ କରେ । ଏହି ଭଣ୍ଡାରର ସୁରକ୍ଷା ବ୍ୟବସ୍ଥା ଖୁବ୍ କଡାକଡି ରହିଥାଏ ।
ସୋନଭଦ୍ର ଜିଲ୍ଲାରୁ ପାଖାପାଖି ୩୩୫୦ ଟନ ସୁନା ମିଳିଥିବା ଆକଳନ କରାଯାଉଛି । ଏହି ସୁନା ଭାରତର ସ୍ୱର୍ଣ୍ଣ ଭଣ୍ଡାରରୁ ୫ ଗୁଣା ଅଧିକ ଅଟେ । ଭାରତରେ ବର୍ତ୍ତମାନ ୬୨୬ ଟନ୍ ସୁନା ରହିଥିବା ବିଶ୍ୱ ସ୍ୱର୍ଣ୍ଣ କାଉଂସିଲ ରିପୋର୍ଟରୁ ଜଣାପଡିଛି । ସେହି ଅନୁଯାୟୀ ଭାରତ ଏବେ ସ୍ୱର୍ଣ୍ଣ ଭଣ୍ଡାର ମାମଲାରେ ବିଶ୍ୱରେ ନଅ ନମ୍ବର ସ୍ଥାନରେ ରହିଛି ।