ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଦଳିବ ବିଶ୍ୱବିଦ୍ୟାଳୟର ନିୟମ । ଏବେ ଗୋଟେ ବିଶ୍ୱବିଦ୍ୟାଳୟରେ ୧୦୦ ରୁ ଅଧିକ କଲେଜ ରହିପାରିବ ନାହିଁ । ଯଦି କଲେଜ ସଂଖ୍ୟା ଅଧିକ ହେବ ତାହାଲେ ସେଥିପାଇଁ ଅନ୍ୟ ଏକ ବିଶ୍ପବିଦ୍ୟାଳୟ ଗଠନ କରାଯିବ । ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚ ଶିକ୍ଷାରେ ଗୁଣବତ୍ତା, ଅନ୍ତରାଷ୍ଟ୍ରୀୟ ର୍ୟାଙ୍କିଂରେ ସୁଧାର, ଗବେଷଣା କାର୍ଯ୍ୟକୁ ବଢାଇବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଏହି ନିତି ପ୍ରସ୍ତୁତ କରାଯାଇଛି ।
ଏହି ନିତି ଅନୁଯାୟୀ ବିଶ୍ୱବିଦ୍ୟାଳୟରେ କେବଳ ୧୦୦ କଲେଜକୁ ମାନ୍ୟତା ଦେବାର ଯୋଜନା ରହିଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ସମେତ କଲେଜରେ ବିଭିନ୍ନ ଯୋଜନାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରାଯିବ । ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଏବଂ ଦେଶ ର ସମସ୍ତ ବିଶ୍ୱବିଦ୍ୟାଳୟ ସହିତ ଏହି ଯୋଜନା ବିଷୟରେ ଆଲୋଚନା କରିବା ଯାଇଛି ।
ନିତି ରେ ରାଜ୍ୟ ପାଇଁ ମଡେଲ ଷ୍ଟେଟ ପବ୍ଲକ ୟୁନିଭରସିଟି ଆକ୍ଟ କରିବା ପାଇଁ କୁହାଯାଇଛି । ଏହି ଅନୁଯାୟୀ ଯଦି ରାଜ୍ୟ ୟୁନିଭରସିଟି ଗଠନ କରୁଛନ୍ତି ତେବେ ସେଥିପାଇଁ କେନ୍ଦ୍ରରୁ ଆର୍ଥିକ ସହାୟତା ମିଳିବ । ଏହି ୟୁନିଭରସିଟି ଯେକୌଣସି ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗର ଷ୍ଟେଟ କାଉଁସିଲ ଅନୁଯାୟୀ ଗଠିତ ହେବ । ଏଥିରେ ଷ୍ଟେଟ କାଉଁସିଲ କୁ ୟୁନିଭରସିଟିର ଗଠନ, କୁଳପତି, ଶିକ୍ଷକ ଚୟନରେ ନିୟମ ବନେଇବାର ଅଧିକାର ରହିବ ।
ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ବିଶ୍ୱବିଦ୍ୟାଳୟରେ ୧୦୦ କଲେଜକୁ ମାନ୍ୟତା ଦେବା ପାଇଁ ୟୁଜିସି ଆକ୍ଟ ଭଳି ମାନ୍ୟତା ନିୟମରେ ପରିବର୍ତ୍ତନ କରାଯିବ । ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଆଧାରରେ ନୂତନ ବିଶ୍ୱବିଦ୍ୟାଳୟର ଗଠନ କରାଯିବ । ଯଦି ଏଭଳି ହୋଇପାରୁ ନାହିଁ ତେବେ ୧୦୦ ରୁ ଅଧିକ କଲେଜ ଥିବା ବିଶ୍ୱବିଦ୍ୟାଳୟରେ ପ୍ରୋ ଭାଇସ ଚାନ୍ସଲର ନିଯୁକ୍ତି କରାଯିବ, ଯାହାଫଳରେ ସେ କୁଳପତିଙ୍କ କାର୍ଯ୍ୟରେ ସାହାଯ୍ୟ କରିବେ ।