ମୁମ୍ବାଇ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ଭୟ । ତେବେ କରୋନା ଭାଇରସ ଦ୍ୱାରା ସାରା ବିଶ୍ୱରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୧୨୦ରୁ ଉର୍ଦ୍ଧ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବାର ଜଣାପଡିଛି । ତେବେ ପୂର୍ବରୁ ୨ ଜଣ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ମୁମ୍ବାଇ ସ୍ଥିତ କସ୍ତୁରବା ହସ୍ପିଟାଲରେ ଆଜି ଜଣଙ୍କର ମୁତ୍ୟୁ ଘଟିଛି । ମୃତକଙ୍କ ବୟସ ୬୪ ବର୍ଷ ହୋଇଥିବାର ଜଣାପଡିଛି ।
ତେବେ କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଭାରତ ସରକାରଙ୍କ ପକ୍ଷରୁ ୩୨ ୟୁରୋପୀୟ ଦେଶମାନଙ୍କ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା କାଲି ସଂନ୍ଧ୍ୟା ୫ଟା ୩୦ରୁ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।ୟୁରୋପୀୟ ସଂଘର ସମସ୍ତ ରାଷ୍ଟ୍ର ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ସଦସ୍ୟ ରାଷ୍ଟ୍ର ଉପରେ ଏହି କଟକଣା ଲାଗୁ ହେବ ।