ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବାର ପ୍ରଥମ ବର୍ଷରେ ହିଁ ‘ମେକ ଇନ ଇଣ୍ଡିଆ’ ଅଭିଯାନ ଆରମ୍ଭ କରି ଦେଶବାସୀଙ୍କୁ ସ୍ୱଦେଶୀ ମନ୍ତ୍ର ପଢାଇଥିଲେ । ନିଜ ଦେଶରେ ତିଆରି ଜିନିଷକୁ ଅଧିକ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।
ଆସନ୍ତା ୨୦୨୪-୨୬ ମଧ୍ୟରେ ଭାରତବାସୀ କେବଳ ସ୍ୱଦେଶୀ ଜିନିଷ ବ୍ୟବହାର କରିବେ ବୋଲି ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଥିଲେ । ହେଲେ ବର୍ତ୍ତମାନ ମୋଦୀଜୀଙ୍କ ଏହି ସ୍ୱପ୍ନ ଅଧାରେ ରହିଯିବ ବୋଲି ମନେ ହେଉଛି ।
ଭାରତରେ ଅଧିକ ବିଦେଶୀ ଜିନିଷ ଲୋକପ୍ରିୟତା ହାସଲ କରିବାରେ ସଫଳ ହେଉଛି । ସ୍ମାର୍ଟଫୋନ ହେଉ ବା ଟେକନଲୋଜି ସବୁଥିରେ ଚାଇନା ଭାରତରେ ନିଜ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି । ଚାଇନାର ମନୋରଞ୍ଜନକାରୀ ଆପ ‘ଟିକଟକ’ ଓ ଅନଲାଇନ ସପିଂ ଓ ଟ୍ରାନ୍ସାକସନ ଆପ ‘ପେଟିଏମ’ ଭାରତରେ ଅଧିକ ଲୋକପ୍ରିୟ ହୋଇପାରିଛି ।
ବର୍ତ୍ତମାନ ସାରା ବିଶ୍ୱରେ ୭୦୦ ନିୟୁତ ରୁ ଅଧିକ ଟିକଟକ ବ୍ୟବହାରକାରୀ ଥିବା ବେଳେ କେବଳ ଭାରତରେ ଏହାର ୨୦୦ ନିୟୁତ ୟୁଜର୍ସ ଅଛନ୍ତି । କେବଳ ଏହି ଗୋଟିଏ ଆପରୁ ଚାଇନା ଗତବର୍ଷ ୪୭୦କୋଟି ଡଲାରେ ବ୍ୟବସାୟ କରିଛି ।
ଏଥି ସହିତ ଚାଇନାର ସ୍ମାର୍ଟଫୋନ କମ୍ପାନୀ ଶାଓମି, ଓପୋ, ଭିଭୋ ମଧ୍ୟ ଭାରତରେ ଲାଭ ଜନକ ବ୍ୟବସାୟ କରୁଛନ୍ତି ।
ଦିନକୁ ଦିନ ଡ୍ରାଗନ ଭାରତୀୟ ବଜାରକୁ ନିଜ କବ୍ଚାକୁ ନେବାରେ ଲାଗିଛି । ଏବଂ ଭାରତୀୟ ଅର୍ଥନୀତି ବୃଦ୍ଧିରେ ଏହା ବାଧକ ମଧ୍ୟ ସାଜିଛି ।