ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଏବେ ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ପାଇଁ ସରକାର ଏକ ବଡକ୍ଷେପ ନେଉଛନ୍ତି । ଏଣିକି ଯିଏ ଗଙ୍ଗା ନଦୀକୁ ପ୍ରଦୂଷଣ କରିବ ତା ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସଂମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦେବା ସହିତ ୫୦ କୋଟି ଟଙ୍କା ଜରିମାନା ଲାଗୁ କରାଯିବ । ସୂଚନା ଅନୁସାରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଶୀତ ଅଧୀବେଶନରେ ସରକାରଙ୍କ ପକ୍ଷରୁ ଏନେଇ ସଂସଦରେ ବିଲ ଆଗତ କରାଯାଇପାରେ ।
ଏନେଇ ଜଳଶକ୍ତି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତ ବିଲ କ୍ୟାବିନେଟ ପାଖକୁ ପଠା ଯାଇଥିବା ଜଣା ପଡିଛି । ଏଥିରେ ବେଆଇନ ନିର୍ମାଣ, ଜଳର ଗତିକୁ ରୋକିବା ଓ ଗଙ୍ଗାରେ କୌଣସି ବିଷାକ୍ତ ପଦାର୍ଥ ନ ଫୋପାଡିବା ପାଇଁ କଠୋର ଆଇନ କରାଯାଇଛି । ସେହିଭଳି ଯଦି କେହି ଗଙ୍ଗା କୂଳରେ ଘର କିମ୍ବା ଦୋକାନ ନିର୍ମାଣ କରନ୍ତି ତାଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆଗତ ହେବାକୁ ଥିବା ବିଲରେ ଆଇନ ରହିଛି ।