ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଜି୨୦ ଶିଖର ସମ୍ମିଳନୀ । ସେପ୍ଟମ୍ବର ୯ ଓ ୧୦ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଚାଲିବ ଜି୨୦ ଶିଖର ସମ୍ମିଳନୀ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ପ୍ରଗତିମୈଦାନ ନିକଟବର୍ତ୍ତି ଭାରତ ମଣ୍ଡପରେ ଆୟୋଜିତ ହେଉଥିବା ଏହି ବୈଠକରେ ଗୃପ-୨୦ ରାଷ୍ଟ୍ରର ମୁଖ୍ୟମାନେ ସାମିଲ ହେବେ । ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ପୋଲିସ ଛାଉଣୀରେ ଦିଲ୍ଲୀ ସହର । ଚାରିଆଡେ ହାଇ ଆଲର୍ଟ । ଜଳ, ସ୍ଥଳ, ଆକାଶ ସୁବୁଠି ସୁରକ୍ଷାର ଅଭେଦ୍ୟ ବଳୟ । ୫୦ ହଜାର ଯବାନଙ୍କ ସମେତ ଦେଢ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି । ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଲାଗିଛି ସିସିଟିଭି ।
G20 ପାଇଁ ସବୁ ସ୍କୁଲ କଲେଜ୍ ଅଫିସ୍ ଛୁଟି ଘୋଷଣା ହୋଇଥିବାରୁ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ କୌଣସି କାମରେ ସମ୍ମିଳନୀ ହେଉଥିବା ସ୍ଥାନରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତାକାଲି ରାତି ୧୨ଟା ଯାଏ ଦିଲ୍ଲୀରେ ଲାଗୁ ହୋଇଛି କଡ଼ା ଟ୍ରାଫିକ କଟକଣା ।