ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦେଶକୁ ରକ୍ଷା କରିବା ପାଇଁ ଓ ଆମ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସୀମାରେ ଦିନ ରାତି ଜଗି ରହିଛନ୍ତି ଯବାନ ମାନେ । ନିଜ ଦେଶର ସୁରକ୍ଷା କରିବା ପାଇଁ ସବୁବେଳେ ଆଗେଇ ଆସନ୍ତି ଯବାନ । ତେବେ ଗତକିଛି ଦିନ ହେବ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହାରି ଭିତରେ ଲଦାଖ ସୀମାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଫଳରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବାର ସୂଚନା ମିଳିଛି । ଏହି ଯବାନ ମାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଥିବାର ଜଣାପଡିଛି । ସୀମାରେ ପ୍ରାଣ ହରାଇ ଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନନ୍ଦୁରାମ ସୋରେନ୍ । ସହୀଦ ନନ୍ଦୁରମ ସୋରେନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜାତଳା ବ୍ଲକ୍ ଅନ୍ତର୍ଗତ ଚମ୍ପାରଦା ଗାଁରେ ।
ଅନ୍ୟଜଣେ ହେଲେ ସହୀଦ ଚନ୍ଦ୍ରକାନ୍ତ ପ୍ରଧାନ । ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗାଁରେ । ୬ ବର୍ଷ ତଳେ ଚନ୍ଦ୍ରକାନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬-ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ। ଦୁଇ ବର୍ଷ ପୂର୍ବେ ସେ ଲଦାଖରେ ଡ୍ୟୁଟି କରୁଥିଲେ । ସହୀଦ ହେବାର ଖବର ଜାଣିବା ପରେ ଉଭୟଙ୍କ ଗାଁରେ ଶୋକାକୁଳ ପରିସ୍ଥିତି ଲାଗି ରହିଛି ।
ସୂଚନାଯୋଗ୍ୟ ସୋମବାର ବିଳମ୍ବିତ ରାତିରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ଲଦାଖର ଗାଲଓ୍ୱାନ୍ ଘାଟିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସାତ୍ମକ ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି । ସେପଟେ ଚୀନ୍ର ୪୦ରୁ ଅଧିକ ଯବାନ ମୃତାହତ ହୋଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଚୀନ୍ ତାହାର କେତେ ସଂଖ୍ୟକ ସେନା ମୃତାହତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ ଏହି ହିଂସାତ୍ମକ ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି ।