ଶ୍ରୀନଗର(ଏଟିଆର ବ୍ୟୁରୋ): ପୁଣି ଶ୍ରୀନଗରରେ ଅଶାନ୍ତି ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି । ଏହା ସହ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜାମ୍ମୁ-କାଶ୍ମୀର ସୋପିଆ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୁରକ୍ଷାକର୍ମୀ ମାନଙ୍କୁ ଖବର ମିଳିଥିଲା । ଖବର ମିଳିବା ମାତ୍ର ସ୍ଥାନୀୟ ପୋଲିସ ଓ ସେନା କର୍ମଚାରୀ ମାନେ ରେବନ ଖ୍ୱୋଜପୋରା ଅଞ୍ଚଳକୁ ନାକାବନ୍ଦୀ କରିଥିଲେ ।
ଏହା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ଆରମ୍ଭ ହେଉଥିବା ଦେଖି ଲୁଚି ରହିଥିବା ଆତଙ୍କବାଦୀ ମାନେ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲେ । ତେବେ ସେନା ତରପରୁ ପଲଟା ଆକ୍ରମଣ କରାଯାଇଥିଲା । ସେନା କର୍ମଚାରୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆଉ କିଛି ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଲୁଚି ରହିଥିବାର ସେନା ତରଫରୁ ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ଓ ସେନା କର୍ମଚାରୀ ମାନେ ମିଶି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।