ପୁଲୱାମା (ଏଟିଆର ବ୍ୟୁରୋ): ପୁଲୱାମା ଜିଲ୍ଲାରେ ୨ ଆତଙ୍କୀଙ୍କୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । ପୁଲୱାମାର ଟ୍ରାଇ ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ସେନାକୁ ଖବର ମିଳିବା ପରେ ସୁରକ୍ଷା କର୍ମୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ଚାଳଇଥିବା ବେଳେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆତଙ୍କୀଙ୍କ ଉପରକୁ ଗୁଳି ଚଳାଇଥିଲେ ।
ଦୀର୍ଘ ସମୟର ଗୁଳି ବିନିମୟ ପରେ ଶେଷରେ ଭାରତୀୟ ସେନାକୁ ସଫଳତା ମିଳିଥିଲା । ୨ ଜଣ ଆତଙ୍କୀ ନିହତ ହୋଇଥିଲେ । ତେବେ ଆହୁରି ଆତଙ୍କୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଏବେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାଯୋଗ୍ୟ ଗତକାଲି ଏକ ସାମ୍ବାଦିକ ସମ୍ମୀଳନିରେ ଯୋଗଦେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରୱାଣେ କହିଛନ୍ତି ସରକାର ଆଦେଶ ଦେଲେ ପିଓକେ ଆମର ହେବ । ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ହାତକୁ ନେବାକୁ ସେନା ପ୍ରସ୍ତୁତ ଅଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନ ସେନାକୁ ସମର୍ଥନ କରୁଛନ୍ତି ବୋଲି ସେ କହିଥିଲେ ।