ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗକୁ ନେଇ ଏବେ ସାରା ଦେଶ ଚିନ୍ତାରେ । କାଶ୍ମୀରରେ ଯେଉଁଭଳି ଭାବେ ସେନା ତାର ଆଭିମୁଖ୍ୟ ଗ୍ରହଣ କରିଛି ସରକାର କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ଆଜି ସାକାଳେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆଜି ଏନେଇ ଗୃହମନ୍ତ୍ରୀ ସୂଚନା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଆଜି ସକାଳ ୯ ଟା ୩୦ ରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ସୂତ୍ରର ଖବର ଅନୁସାରେ ଆଜି କାଶ୍ମୀର ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟର ଦୁଇ ସଦନକୁ ଅବଗତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ମଧ୍ୟାହ୍ଣ ୧୨ଟାରେ ଗୃହମନ୍ତ୍ରୀ ପାର୍ଲାମେଣ୍ଟରେ ସରକାରଙ୍କ ମତ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି। ଧାରା ୩୫ (କ) ଉଚ୍ଛେଦ ପାଇଁ ଏହି ବୈଠକରେ ଯୋଜନା କରାଯାଉଥିବା କଥା ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି ସଠିକ ସୂଚନା ଦିଆଯାଇ ନାହିଁ ।