ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୁନିଆରେ ଦିନକୁ ଦିନ ପ୍ଲାଷ୍ଟିକ ସମସ୍ୟା ବଢିଚାଲିଛି । ପ୍ଲାଷ୍ଟିକ ଏବେ ପରିବେଶ ସମସ୍ୟା ବଢେଇ ଚାଲିଛି । ଯାହା ଏବେ ପୁରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସୂଚନା ଅନୁସାରେ ଭାରତରେ ପ୍ରତିଦିନ ପାଖାପାଖି ୨୬,୦୦୦ ଟନ ପ୍ଲାଷ୍ଟିକ କଚରା ବାହାରିଥାଏ । ଯେଉଁଥିରେ ଅଧାରୁ ଅଧିକ ବର୍ଷବର୍ଷ କାଳ ପର୍ଯ୍ୟନ୍ତ ମାଟିରେ ମିଶି ନଥାଏ । ତେବେ ଏହି ସମସ୍ୟାକୁ ସୁଧାରିବା ପାଇଁ ଦିଲ୍ଲୀର ଏକ ସ୍କୁଲ ଏକ ନୂଆ ଉପାୟ ବାହାର କରିଛି । ଏହି ସ୍କୁଲରେ ପିଲାମାନେ ସ୍କୁଲ ଫି ପରିବର୍ତ୍ତେ ସପ୍ତାହକୁ ଥରେ ଅବ୍ୟବହୃତ ପ୍ଲାଷ୍ଟିକ ଜିନିଷ ଦେଇଥାନ୍ତି ।
ନିତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ( ସିଇଓ) ଅମିତାଭ କାନ୍ତ ଏହି ସ୍କୁଲର ସୂଚନା ଦେଇଛନ୍ତି । ସେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି । ଶୋସିଆଲ ୱାର୍କରେ ସ୍ନାତକ ପରମିତା ଶର୍ମା ଏବଂ ମାଜିନ ମୁକତାର ଯେବେ ପ୍ରଥମେ ଅକ୍ଷର ଫାଉଣ୍ଡେସନ ନାମରେ ଏକ ସ୍କୁଲ ନିର୍ମାଣ କଲେ ସେତେବେଳେ ସେମାନେ ଏହି ସ୍କୁଲରେ ପଢୁଥିବା ପିଲାମାନଙ୍କ ଅବିଭାବକଙ୍କ ଠାରୁ ସ୍କୁଲ ଫି ବାବଦରେ ଅଦରକାରୀ ପ୍ଲାଷ୍ଟିକ ନେବା ପାଇଁ ସ୍ଥିର କରିଥିଲେ । ସମାଜ ପାଇଁ କିଛି କରିବା ଉଦେଶ୍ୟରେ ମୁକତାର ଆମେରିକାରେ ଏକ ଚାକିରି ମଧ୍ୟ ଛାଡି ଦେଇଥିଲେ ।
ସେଠାରୁ ସେ ଭାରତ ଆସିବା ପରେ ତାଙ୍କର ଭେଟ ହୁଏ ଶର୍ମାଙ୍କ ସହିତ । ପରେ ଦୁହେଁ ମିଶି ଏହି ସ୍କୁଲ ଆରମ୍ଭ କରନ୍ତି । ସୂଚନାଯୋଗ୍ୟ ଏହି ସ୍କୁଲରେ ପଢୁଥିବା ପିଲାମାନେ ସପ୍ତାହକୁ ଥରେ ଘରେ ବଳୁଥିବା ପ୍ଲାଷ୍ଟିକ ଅଳିଆ ସ୍କୁଲରେ ଜମା କରନ୍ତି । ପ୍ରତି ସପ୍ତାହରେ କମସେ କମ ୨୫ ଟି ପ୍ଲାଷ୍ଟିକ ବସ୍ତୁ ଆଣିବାକୁ କୁହାଯାଇଥାଏ । ଦିନ ମଜୁରିଆ ପିଲାମାନଙ୍କ ଶିକ୍ଷା ପାଇଁ ଏହି ସ୍କୁଲ ଏବେ ବହୁତ ସହାୟକ ହେଉଛି ।