ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ଦେଶରେ ଜାରି ରହିଛି ଅନଲକ୍ ପ୍ରକ୍ରିୟା । ସେହିଅନୁଯାୟୀ ଆଜିଠୁ ଦେଶରେ ଅନଲକ୍ ୫ ଆରମ୍ଭ ହେଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଆଗକୁ ଫେଷ୍ଟିଭାଲ ସିଜିନ୍ ଆସୁଥିବାରୁ ଏହାକୁ ଦୃଷ୍ଟୀରେ ରଖି ଅନଲକ୍୫ରେ ଅଧିକ କୋହଳ କରାଯାଇଛି । ସେହିଅନୁଯାୟୀ ସିନେମାହଲ, ଏଣ୍ଟରଟେନମେଣ୍ଟ ପାର୍କ, ସ୍ୱିମିଙ୍ଗ ପୁଲ କୁ ଅକ୍ଟୋବର ୧୫ ରୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସିନେମା ହଲରେ କେବଳ ୫୦ ପ୍ରତିଶତ ଲୋକଙ୍କ ପାଇଁ ଅନୁମତି ରହିଛି ।
ଗୃହମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ, ଅକ୍ଟୋବର ୧୫ ପରେ ସ୍କୁଲ ଏବଂ କୋଚିଙ୍ଗ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ନିଜ ହିସାବରେ ନିଷ୍ପତି ନେଇପାରିବେ । ଏଥିପାଇଁ ଅବିଭାବକମାନଙ୍କ ସହମତିର ଆବଶ୍ୟକ ପଡିବ ।
ସେହିପରି ଆଗକୁ ହେବାକୁ ଥିବା ଉତ୍ସବ ଯେପରିକି ନବରାତ୍ରୀ, ଦଶହରା, ଦୀପାବଳୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । ଲୋକେ ସତର୍କତା ଅବଲମ୍ବନ କରି ଉତ୍ସବ ପାଳନ କରି ପାରିବେ ।
କଣ୍ଟେନମେଣ୍ଟ ଜୋନରେ ଜାରି ଥିବା ଲକଡାଉନକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକ ପାଇଁ କଟକଣା ଜାରି ରହିବ ।
ଅନ୍ୟପଟେ ସାମାଜିକ, ସାଂସ୍କୃତିକ, ମନରଞ୍ଜନ, ଧାର୍ମିକ, ରାଜନୈତିକ ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକରେ କେବଳ ୧୦୦ ଲୋକ ସାମିଲ ହେବା ପାଇଁ ଅନୁମତି ମିଳିବ ।