ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ଏଇ ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ କଂଗ୍ରେସର ନିରାଶ ଜନକ ପ୍ରଦର୍ଶନ ରହିଥିଲା । ଏମିତି କି ଦିନେ କଂଗ୍ରେସର ଗଡ ଥିବା ଆମେଠି ଲୋକସଭା ଆସନରୁ ଏଥର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ତେବେ ଏହାକୁ ନେଇ ଏବେ ପୁଣି ଆକ୍ସନ ମୁଡକୁ ଆସିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏହି ଅବସରରେ ପୂର୍ବ ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲା କମିଟିକୁ ଭାଙ୍ଗି ଦେଇଛନ୍ତି ।
ଆଗକୁ ଆସୁଥିବା ନିର୍ବାଚନରେ ସମସ୍ତ ବିଧାନସଭା କ୍ଷେତ୍ରରେ ୨ ସଂସଦୀୟ ଦଳ ଗଠନ କରାଯାଇଛି । ସେହିଭଳି ତିନି ଜଣଙ୍କୁ ନେଇ ଏକ ଦଳ ଗଠନ କରାଯାଉଛି । ଏହି ଦଳ ଲୋକସଭା ନିର୍ବାଚନର ସମସ୍ତ ରିପୋର୍ଟ ପ୍ରଦାନ କରିବ । ସୂଚନା ଅନୁସାରେ ପୂର୍ବ ୟୁପିରେ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ଦାୟିତ୍ୱ ଅଜୟ କୁମାର ଲଲ୍ଲୁଙ୍କୁ ଦିଆ ଯାଇଛି । ସେହିଭଳି ଏହି ସମସ୍ତ ପ୍ରକ୍ରିୟାକୁ ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ରହିଛି ।
ଅନ୍ୟପଟେ ପ୍ରିୟଙ୍କା ଏହି କମିଟିରେ ୫୦ ପ୍ରତିଶତ ଯୁବ ବର୍ଗ, ୩୩ ପ୍ରତିଶତ ମହିଳା ଏବଂ ପଛୁଆ ବର୍ଗକୁ ଆଗ୍ରାଧିକାର ଦବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୨ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରିୟଙ୍କା ଏବେ ଠାରୁ ଅଣ୍ଟା ଭିଡିଛନ୍ତିି । ଏମିତି କି ତୃଣ ମୁଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କର୍ତ୍ତାଙ୍କ ସହିତ ସିଧା ଯୋଗାଯୋଗ ରଖୁଛନ୍ତି ।