ଲକ୍ଷେ୍ନø (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ ଆସିବା ଦିନଠାରୁ ଦେଶରେ ଅଶାନ୍ତିର ବାତାବରଣ ଖେଳିବାରେ ଲାଗିଛି । କିଛି ଲୋକ ଏହି ବିଲକୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଜାମିୟା ଠାରେ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିଲକୁ ବିରୋଧ କରିବା ସହ ହିଂସା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ତେବେ ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର ହିଂସାର ନିଆଁ ଯେମିତି ପୁରା ଦେଶରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି ।
ନାଗରିକତା ସଂଶୋଧନ ବିଲ୍ ର ନଆଁ ଉତ୍ତର ପ୍ରଦେଶରେ ତୀବ୍ର ହେବା ଫଳରେ ରାଜ୍ୟର ୬ଟି ଜିଲ୍ଲାରେ ୧୪୪ଧାରା ଲାଗୁ ହେବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ୧୪୪ଧାରା ଲାଗୁ ହୋଇଥିବା ଜିଲ୍ଲା ଗୁଡିକ ହେଲା ଆଲିଗଡ, ବୁଲନ୍ଦସହର, କାସଗଞ୍ଜ, ମେରଠ ଓ ସାହାରାନପୁର । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅପିଲ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ରାଜ୍ୟରେ ରହୁଥିବା ସମସ୍ତ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଆମେ ପ୍ରତିଶୃତି ଦେଉଛୁ । ନାଗରିକ ସଂଶୋଧନ ଆଇନକୁ ନେଇ କିଛି ଅସାମାଜିକ ଲୋକ ଭୁଲ ବାର୍ତ୍ତା ଦେଇ ଲୋକମାନଙ୍କୁ ବିଭ୍ରାଟ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଆପଣମାନେ ଏହିସବୁ କଥାକୁ ଗ୍ରହଣ କରନ୍ତୁନାହିଁ । ଆଇନକୁ କେହି ହାତକୁ ନେବାକୁ ଚେଷ୍ଟା କରନ୍ତୁନାହିଁ । ରାଜ୍ୟରେ ବିଶୃଙ୍ଖଳା ସୁଷ୍ଟି ନକରିବାକୁ ନିବେଦନ କରିଛନ୍ତି ।