ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସିଡ ଆକ୍ରମଣ ପୀଡିତାଙ୍କ ମିଳିବ ପେନସନ । ଉତ୍ତରାଖଣ୍ଡ ସରକାର ଏହିଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡ ସରକାର ଏସିଡ ଆକ୍ରମଣ ପୀଡିତାଙ୍କୁ ପେନସନ ଦେବା ନେଇ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଏନେଇ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ସରକାର ଏକ ପେନସନ ସ୍କିମ ଆରମ୍ଭ କରିଛନ୍ତି । ଯେଉଁଥିରେ ଏସିଡ ଆକ୍ରମଣରେ ପୀଡିତା ଝିଅମାନଙ୍କୁ ପ୍ରତିମାସରେ ୫୦୦୦-୬୦୦୦ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ସେମାନେ ନିଜେ ସ୍ୱାଭିମାନର ଜୀବନ ଯାପନ କରିପାରିବେ ।
ନିକଟରେ ଦୀପିକାଙ୍କର ଅଭିନୀତ ବଲିଉଡ ଫିଲ୍ମ ‘ଛପାକ’ ଯେପରି ସାରା ଦେଶରେ ଏକ ଛାପ ସୃଷ୍ଟି କରିଦେଇଛି । ଏହି ଫିଲ୍ମଟିରେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ହୋଇଛି । କିପରି ଲକ୍ଷ୍ମୀଙ୍କ ଉପରେ ଏସିଡ ମାଡ ହେବା ପରେ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା ଓ କିପରି ଏସିଡ ପିଡୀତାଙ୍କୁ ସମାଜର ସାମ୍ନା କରିବାକୁ ପଡେ ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମଟିକୁ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ସରକାର ଟିକସ ମୁକ୍ତ କରିଥିବା ବେଳେ ଉତ୍ତରାଖଣ୍ଡ ସରକାରଙ୍କ ଏହିଭଳି ପଦକ୍ଷେପକୁ ସଭିଏଁ ସ୍ୱାଗତ କରିଛନ୍ତି ।