ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ କେନ୍ଦ୍ର ସରକାର ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଅଧିକ ପ୍ରତିକ୍ରିୟା ଶୀଳ ହୋଇ ପଡିିଛି । ଭାରତରେ ବଡ ଧରଣର ଅଘଟଣ ଘଟାଇବା ପାଇଁ ପାକିସ୍ତାନ ସବୁବେଳେ ମସୁଧା କରୁଛି । ପାକିସ୍ତାନ ଆତଙ୍କବାଦି ଏବେ ଭାରତୀୟ ଦଳକୁ ଟାର୍ଗେଟ କରିଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)ର ସୂଚନା ଅନୁସାରେ ଏବେ ଏକ ଚିଠି ମିଳିଛି ଯେଉଁଥିରେ ଷଡଯନ୍ତ୍ର ହୋଇଛି ଟିମ୍ ଇଣ୍ଡିଆ ଉପରେ ହମ୍ଲା କରିବାକୁ ।
ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବା ବେଳ ଭାରତୀୟ ଦଳ ଉପରେ ହମଲା କରିବାକୁ ଆତଙ୍କବାଦୀ ମାନେ ମସୁଧା କରିଛନ୍ତି । ଯେଉଁଥିରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ପୁରା ଟିମ ଇଣ୍ଡିଆ ଆତଙ୍କିକ ଟାର୍ଗେଟରେ ରହିଥିବା ଜଣା ପଡିଛି ।
ଖବର ମୁତାବକ ଏହି ଚିଠିରେ ବିରାଟ ଓ ଟିମ୍ ଇଣ୍ଡିଆ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ନାଁ ଉଲ୍ଲେଖ ରହିଛି। ଲସ୍କର ନାମକ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିପାରେ । ଏହି ସୂଚନା ମିଳିବା ପରେ ଏବେ ଭାରତୀୟ ଦଳର ସମସ୍ତ ଖେଳାଳୀ ଓ ଚିଠିରେ ରହିଥିବା ସମସ୍ତ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।