(ଏଟିଆର ବ୍ୟୁରୋ): ଆଜିକାଲି ଲୋକେ ପ୍ରତ୍ୟେକ କାମ ପାଇଁ ସୋସିଆଲ ମିଡିଆର ସାହାରା ନେଉଛନ୍ତି । କିନ୍ତୁ ୟୁଟ୍ୟୁବ୍ ଦେଖି ପିଲା ଜନ୍ମ କରାଇବାର ଚେଷ୍ଟା ମହଙ୍ଗା ପଡିଛି । ଜଣେ ମହିଳା ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ନନେଇ ୟୁଟ୍ୟୁବ୍ ର ସାହାରା ନେଇଥିଲେ । ୟୁଟ୍ୟୁବ୍ ଜରିଆରେ ସେ ପିଲା ଜନ୍ମ ଦେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଅଧିକ ରକ୍ତଶ୍ରାବ ହେବାରୁ ମହିଳାଙ୍କ ସମେତ ତାଙ୍କ ଗର୍ଭରେ ଥିବା ଛୁଆର ବି ମୃତ୍ୟୁ ହୋଇଛି । ଆଜ୍ଞା ହଁ ଉତ୍ତରପ୍ରଦେଶ ଗୋରଖପୁରର କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଗୋରଖପୁର କ୍ୟାଣ୍ଟ ପୋଲିସ ଷ୍ଟେସନର ପ୍ରଭାରୀ ରବି ରାୟ କହିଛନ୍ତି କି , ମହିଳା ଜଣକ ଅବିବାହିତା ଥିଲେ, ସେଥିପାଇଁ ସେ ଲୋକ ଲଜ୍ୟାରୁ ମୁକ୍ତି ପାଇବା ଲାଗି ଘରେ ୟୁଟ୍ୟୁବ୍ ଦେଖି ପିଲା ଜନ୍ମ ଦେବାକୁ ଚେଷ୍ଟା କରିଥିଲେ ।
ମହିଳାଙ୍କ ଘରୁ ରକ୍ତ ଭାସୁଥିବାର ଦେଖି ପଡୋଶୀ ଲୋକ ଘରର ମାଲିକକୁ ଖବର ଦେଇଥିଲେ । ଘର ମାଲିକ ତୁରନ୍ତ ପହଁଚି ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସେଠାରେ ମହିଳା ଏବଂ ନବଜାତ ଶିଶୁ ମୃତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଏହାପରେ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହିତ ପୋଷ୍ଟମଟମ ପାଇଁ ପଠାଇଥିଲା । ତଦନ୍ତରେ ମହିଳାଙ୍କ ସ୍ମାର୍ଟଫୋନ୍ ପୋଲିସ ହାତରେ ଲାଗିଥିଲା । ସେଥିରୁ ଜଣାପଡିଲା କି ମହିଳା ଜଣଙ୍କ ୟୁଟ୍ୟୁବ୍ ରେ ‘ହାଓ ଟୁ ଡେଲିଭର ବେବି ବାଇ ସେଲ୍ଫ’ ଭିଡିଓ ଦେଖୁଥିଲେ । ଏହାସହିତ ଘଟଣାସ୍ଥଳରେ ଗୋଟେ କଇଁଚି, ବ୍ଲେଡ ଏବଂ ଅନ୍ୟ କିଛି ଜିନିଷ ପୋଲିସ ଜବତ କରିଛି ।