ରାଜସ୍ଥାନ ( ଏଟିଆର ବ୍ୟୁରୋ): ଆଜିକାଲି ଯୁବକ ଠାରୁ ବୟସ୍କ ସମସ୍ତେ ଶୋସାଲ ମିଡିଆ ପ୍ରେମରେ । ଯଦି ଆଜି କାହାର ଶୋସାଲ ମିଡିଆରେ ଆକାଉଣ୍ଟ ନାହିଁ ସେ ଗୋଟିଏ ନିପଟ ମଫୁ ବୋଲି କିଛି ଲୋକ ପ୍ରତିକ୍ରିୟା ମଧ୍ୟ ଦେବାକୁ ଭୁଲୁ ନାହାଁନ୍ତି । ତେବେ ସବୁ ଜିନିଷର ଭଲ ଆଉ ଖରାପ ଦୁଇଟି ଦିଗ ରହିଛି । ଯଦି ଜଣେ ବ୍ୟବହାର କାରୀ ଏ ଦୁଇଟି ଦିଗ ପ୍ରତି ସଚେତନ ନ ହୁଏ ତେବେ ସେ କେତେବେଳେ କାହା ମାୟା ଜାଲରେ ଫସିଯାଇ ପାରେ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ତାନର ଜୟପୁରରେ ।
ଜଣେ ଅଜଣା ମହିଳାଙ୍କ ସହ ଫେସବୁକରେ ବନ୍ଧୁତା କରି ଫସିଲେ ଜଣେ ବୃଦ୍ଧ । ପଡିଲେ ୭୦ ଲକ୍ଷ ଠକାମୀରେ । କାନମୁଣ୍ଡା ଆଉଁସୀ ହେଲେ ଥାନା ଦ୍ୱାରସ୍ଥ । ରାଜସ୍ତାନ ଜୟପୁରର ୭୨ ବର୍ଷୀୟ ସତ୍ୟବ୍ରତ ଶର୍ମା ନାମକ ଜଣେ ବୃଦ୍ଧ ଫେସବୁକରେ ଠକାମୀରେ ପଡିଛନ୍ତି । ଖବର ଅନୁସାରେ ଗତ କିଛି ଦିନ ତଳେ ଜଣେ ଅଜଣା ମହିଳାଙ୍କ ସହିତ ଶ୍ରୀ ଶର୍ମାଙ୍କର ଫେସବୁକରେ ବନ୍ଧୁତା ହୋଇଥିଲା । ମହିଳା ଜଣଙ୍କ ଳଣ୍ଡନର ନିବାସୀ କହି ତାଙ୍କ ସହିତ ବନ୍ଧୁତା କରିଥିଲେ । ଏହି ବନ୍ଧୁତା ଫେସବୁକରେ ନିବିଡ ହେବା ପରେ ହ୍ୱାଟସଆପ ଓ ଜିମେଲରେ ମଧ୍ୟ ନିବିଡ ହୋଇଥିଲା ।
ବନ୍ଧୁତା ଏତେ ବଢି ଗଲା ଯେ ବୃଦ୍ଧ ଜଣଙ୍କ ମହିଳା ଜଣଙ୍କୁ ବିଶ୍ୱାସ କରି ତାଙ୍କୁ ବ୍ୟବସାୟ ପାଇଁ ଅଲଗା ଅଲଗା ବ୍ୟାଙ୍କ ଖାତାରେ ୭୦ ଲକ୍ଷ ଟଙ୍କା ଜମା କରିଥିଲେ । ମାତ୍ର ଟଙ୍କା ଜମା ହେବା ପରେ ମହିଳା ଜଣଙ୍କ ଆଉ ବୃଦ୍ଧଙ୍କ ସହିତ କଥାବାର୍ତ୍ତା ବନ୍ଧ କରି ଦେଇଛନ୍ତି । ତେବେ ଏନେଇ ଏବେ ସମ୍ପୃକ୍ତ ବୃଦ୍ଧ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ନମ୍ବର ଜାଞ୍ଚ କରି ଲର୍ଡନ ଓ ମୁମ୍ବାଇର ବୋଲି ଜାଣିବାକୁ ପାଇଛି । ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।