ଭବାନୀପାଟଣା (ଏଟିଆର ବ୍ୟୁରୋ ) ; ଆମ୍ବୁଲାନ୍ସରେ ଅମ୍ଳଜାନ ସରିଯିବାରୁ ଚାଲିଗଲା ଜଣେ ରୋଗୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଭବାନୀପାଟଣାରେ ଘଟିଛି । ଖବର ଅନୁସାରେ ଜୟପାଟଣା ଅଞ୍ଚଳର ଗଗନ ବାଗ ନାମକ ଜଣେ ଯୁବକ ଦିର୍ଘ ଦିନ ହେବ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଜି ସକାଳ ସମୟରେ ହଠାତ ତାଙ୍କୁ ଜ୍ୱର ହେବାରୁ ତାଙ୍କୁ ପରିବାର ଲୋକେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତୀ କରାଇଥିଲେ । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନଆସିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ଜୟପାଟଣା ମେଡିକାଲର ଡାକ୍ତର ରେଫର କରିଥିଲେ ।
ଗଗନଙ୍କୁ ଭାବାନୀପାଟଣା ନେବା ଲାଗି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଗଲା । ତେବେ ଜୟପାଟଣା ଡାକ୍ତରଖାନାରୁ ୬ କିଲୋମିଟର ଯିବା ପରେ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ସରିଯାଇଥିଲା । ସେପଟେ ଜୟପାଟଣା ଠାରୁ ଭବାନୀପାଟଣା ପାଖାପାଖି ୮୦ କିଲୋମିଟର ହୋଇଥିବା ବେଳେ ଗଗନ ଭବାନୀପାଟଣା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତନାଘନା ଆରମ୍ଭ ହୋଇଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ବେପାରୁଆ ମନୋଭାବ ଯୋଗୁ ଆମ୍ବୁଲାନ୍ସରେ ଅମ୍ଳଜାନ ସରିଥିବାର ଅଭିଯୋଗ ହୋଇଛି । ସରକାର ସ୍ୱାସ୍ଥ୍ୟ ସେବାକୁ ନେଇ ବହୁ ଯୋଜନା କରୁଥିବା ବେଳେ ପ୍ରକୃତରେ ଏହି ସବୁ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନଥିବା ଅଭିଯୋଗ ମଧ୍ୟ ହୋଇଛି । ଅନ୍ୟପଟେ ଏପରି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି ।