ମୟୁରଭଞ୍ଜ,(ଏଟିଆର ବ୍ୟୁରୋ): ହେଇ ଯାଉଛୁ, ହେଇ ପହଞ୍ଚିଲୁ କହି ଘଣ୍ଟା ଘଣ୍ଟା ଗଡେଇ ଦେଲେ । ହେଲେ ଆସିଲେ ନାହିଁ । ଏପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା । ତେଣୁ ପରିବାର ଲୋକେ ହତାସ ହୋଇ ଶେଷରେ ଅଟୋ ଡାକିଥିଲେ । ତେବେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅଟୋରେ ହିଁ ପିଲା ଜନ୍ମ କରିଥିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଅଞ୍ଚଳରେ ।
ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାଙ୍କ ପାଇଁ ଚାଲୁଥିବା ୧୦୨ ଆମ୍ପୁଲାନ୍ସ କେଉଁ କାମକୁ ବୋଲି ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ, ଫୁଲଗାଡିଆ ଅଞ୍ଚଳର ସୁଲୋଚନା ମହନ୍ତ ଗର୍ଭ ଯନ୍ତ୍ରଣା ପାଉଥିଲେ । ଏହାଦେଖି ତାଙ୍କ ସ୍ୱାମୀ ତୁରନ୍ତ ୧୦୨କୁ ଯୋଗାଯୋଗ କରିଥିଲେ । ହେଲେ ୧୦୨ କର୍ମଚାରୀ ଯାଉଛୁ ଯାଉଛୁ କହି ଶେଷରେ ଠକିଦେଲେ । ସମୟ ସିନା ଗଡିଥିଲା କିନ୍ତୁ ବିଲକୁଲ ଆସିନଥିଲା ୧୦୨ ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ସୁଲୋଚନାଙ୍କୁ ଅଟୋରେ ହସପିଟାଲ ନିଆଯାଇଥିଲା । ଗୋଡିଗାଁ ଛକ ପାଖରେ ସେ ପିଲା ଜନ୍ମ କରିଥିବା ଜଣାପଡିଛି । ୧୦୨ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ଠକାମୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।