ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାଗାବାଡି ଡିଲରେ ସ୍ପେଶାଲ ୧୮ କ୍ରାଇମ ରିପୋର୍ଟର । ଏଟିଆରରେ ଏହି ଖବର ପ୍ରକାଶ ପାଇବାର ୪ଘଁଟା ବିତିନି । କିନ୍ତୁ ବିଳିବିଳେଇଛନ୍ତି ଜଣେ ତଥା କଥିତ ସାମ୍ବାଦିକ । ଅଙ୍ଗୁରୁ ଖାଇ ନପାରିଲେ ଖଟା ବୋଲି ଯୁକ୍ତି ବାଢ଼ି ନିଜେ ନିଜର ସମ୍ପୃକ୍ତି ଥିବାର ଢ଼େର ପ୍ରମାଣ ଦେଇଛନ୍ତି । ଏ କଥା ଆମେ ନୁହେଁ ବରଂ ଲୋକେ କହୁଛନ୍ତି । ସବୁଠୁ ବଡ଼ କଥା ହେଉଛି ଯେତେବେଳେ ବି କୌଣସି ସାମ୍ବାଦିକ ଦଲାଲ କାମରେ ମାତୁଥିବା ଖବର ନିର୍ଭୟର ସହ ଏଟିଆର ପ୍ରକାଶ କରିଛି ସେତେବେଳେ ହିଁ ଏହି ଚର୍ଚ୍ଚିତ ସାମ୍ବାଦିକଙ୍କ ଦେହରେ ବିଛୁଆତି ଲାଗିଲା ଭଳି ହୋଇଛି ।
କେହି କିଛି କହୁ ବା ନକହୁ ଏହି ସାମ୍ବାଦିକ ଜଣଙ୍କ ଆଗକୁ ଡେଇଁ ନିଜ ସଫେଇ ରଖିବା ନିହାତି ଭାବେ ସନ୍ଦେହ ସୃଷ୍ଟି କରୁଛି । ଏଠି ପ୍ରଶ୍ନ ଯଦି ଏହି ବାବୁ ଏତେ ସଚ୍ଚୋଟ ତେବେ କାହିଁକି ଏତେ ଉତ୍ପାତ ହେଉଛନ୍ତି । ୧୮ଜଣ କ୍ରାଇମ ରିପୋର୍ଟରଙ୍କ ନାଁ ଲେଖା ହୋଇଥିବା ବେଳେ ଏହି ଜଣେ ବ୍ୟକ୍ତି ଆଗକୁ ଗୋଡ କାଢ଼ିବାର ମାନେ କଣ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଏଭଳି କେତେକଙ୍କ ପାଇଁ ଗଣମାଧ୍ୟମ ୪ର୍ଥ ସ୍ତମ୍ଭ ବଦଳରେ ଅଯୋଗ୍ୟ ଖମ୍ବ ପାଲଟିଥିବା ବେଳେ ଏହାର ମୂଳପୋଛ କରିବା ଲାଗି ଏଟିଆର ତା’ର ଅଭିଯାନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ସହିଦନଗର ଅଁଚଳରେ ଜଣେ ବିଲ୍ଡର ଏକ ଜାଗା ଦେବା ଲାଗି ୭୨ଲକ୍ଷ ଟଙ୍କା ନେଇ ଜଣେ ବ୍ୟକ୍ତିଙ୍କୁ ଭୁଆଁ ବୁଲାଉଥିଲେ । ଠିକ ଏହି ସମୟରେ ୧୮ଜଣ ସାମ୍ବାଦିକ ନିଜର ଫାଇଦା ଉଠାଇବା ଲାଗି ପୂରା ବ୍ଲୁପ୍ରିଁଟ କରିଥିଲେ । ଏପଟେ ଠକାମୀର ବ୍ୟକ୍ତିଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସେପଟେ ବିଲ୍ଡର ସହ ହାତ ମିଳାଇଥିଲେ । କୌଣସି ଟିଭି ହେଉ କି’ ଖବରକାଗଜରେ ଏନେଇ କୌଣସି ରିପୋର୍ଟ ପ୍ରକାଶ ନକରିବା ନେଇ ସିଧା ୨୨ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଯାହାକୁ ନେଇ ପୂରା ରାଜଧାନୀରେ ଏବେ ଚର୍ଚ୍ଚା ଜୋର ଧରିଛି ।