କେନ୍ଦୁଝର (ଏଟିଆର ବ୍ୟୁରୋ ) ; ମାଛ ଧରିବାକୁ ଯାଇ କେନାଲରେ ନିଖୋଜ ହେଲେ ଦୁଇ ଭାଇ । ଶେଷରେ ବହୁ ଖୋଜାଖୋଜି ପରେ ମିଳିଲା ଦୁଇ ଭାଇଙ୍କ ମୃତଦେହ । ଏଭଳି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଘଟିଛି । ମିଲିଥିବା ସୂଚନା ଅନୁଯାଇ , ଗତକାଲି ବଣିଆହୁଡି ଗ୍ରାମର ସଞ୍ଜୟ ଜେନା ଓ ସରୋଜ ଜେନା ମାଛ ଧରିବା ପାଇଁ ଗାାଁ ପାଖ ବୈତରଣୀ ନଦୀର ନିର୍ମାଣାଧୀନ କେନାଲକୁ ଯାଇଥିଲେ । ତେବେ ସେମାନେ ସେଠାରୁ ଆଉ ଘରକୁ ଫେରିନଥିଲେ ।
ଏଭଳି ଖବର ଜାଣି ଗ୍ରାମବାସୀମାନେ କେନାଲ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିଥିଲେ । ତେବେ ସେମାନଙ୍କ କୌଣସି ପତ୍ତା ପାଇନଥିଲେ ଗ୍ରାମବାସୀ । ତେବେ ଆଜି ସକାଳେ ସଞ୍ଜୟ ଜେନା ଓ ସରୋଜ ଜେନା ଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେନାଲ ନିର୍ମାଣକାରୀ କମ୍ପାନୀର ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକରି ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ପରେ ସେମାନଙ୍କୁ କ୍ଷତିପୂରଣ ପ୍ରତିଶ୍ରୃତି ମିଳିବା ପରେ ରାସ୍ତାରୋକ ହଟିଥିଲା ।