ରାୟଗଡ଼ା,(ଏଟିଆର ବ୍ୟୁରୋ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବର୍ଷାରେ ଭିଜି କାନ୍ଥ ଭୁଷୁଡି ପଡିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ତାଙ୍କ ପୁଅ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକ ଗରୁତର ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରିଛନ୍ତି ।
ରିପୋର୍ଟ ଅନୁସାରେ, ଶୁଳିପଦର ଗାଁର ମାଧବ ଲୟ ଓ ତାଙ୍କ ପତ୍ନୀ ଯଶୋଦା ଓ ତାଙ୍କ ପୁଅ ଘରେ ଶୋଇଥିବା ବେଳେ ହଠାତ କାନ୍ଥଟି ଭୁଷୁଡି ପଡିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇଯାଇଥିଲେ ସମସ୍ତେ । ତେବେ ଘଟଣାସ୍ଥଳରେ ମାଧବ ଓ ଯଶୋଦାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ତାଙ୍କ ପୁଅ । ଲଗାଣ ବର୍ଷାରେ ମାଟି କାନ୍ଥ ବତୁରି ଭୁଷୁଡି ପଡିଥିବା ଜଣାପଡିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି ।