ଭଦ୍ରକ,(ଏଟିଆରବ୍ୟୁରୋ): ବେଶ ହସଖୁସିରେ ବାଛୁରି ସହ ଖେଳୁଥିଲେ । କିଏ ଜାଣିଥିଲା ଏହି ଖେଳ ସେମାନଙ୍କ ପାଇଁ କାଳ ହୋଇପାରେ । ପୋଖରୀରେ ବୁଡି ଆଜି ୨ଜଣ ନାବାଳକ ସବୁଦିନ ଲାଗି ଆଖି ବୁଜିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ । ମୃତ ନାବାଳକ ହେଲେ ସ୍ୱାଗତ ମଲ୍ଲିକ ଓ ସମରଜିତ ମଲ୍ଲିକ ।
ରିପୋର୍ଟ ଅନୁସାରେ, ଉଭୟ ଘର ପାଖରେ ଏକ ବାଛୁରୀ ସହ ଖେଳୁଥିଲେ । ତେବେ ବାଛୁରୀଟି ଡେଇଁ ଡେଇଁ ପୋଖରୀ ପାଖକୁ ଚାଲିଯାଇଥିବା ବେଳେ ଛୁଆ ଦୁଇ ମଧ୍ୟ ତା’ ପଛେ ପଛେ ଧାଇଁଥିଲେ । ତେବେ ଅସାବଧାନତା କାରଣରୁ ଉଭୟ ପାଣିରେ ବୁଡି ଯାଇଥିଲେ । ଯଦିଓ ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।