କଟକ (ଏଟିଆର ବ୍ୟୁରୋ ) ; ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ । ନିଜ ହକ ପାଇଁ ଲଢେଇ କରୁଥିବା ଅଗ୍ନିଶମ କର୍ମଚାରୀଙ୍କ ପ୍ରତି ନିଆଯାଇଛି କଠୋର କାର୍ଯ୍ୟାନୁଷ୍ଠାନ । ଶେଷରେ ୬ ଜଣ ଅଗ୍ନିଶମ କର୍ମଚାରୀ ହେଲେ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା , ବିଶୃଙ୍ଖଳିତ ଆଚରଣ ଓ କାର୍ଯ୍ୟରୁ ଅନଧିକାର ଭାବେ ଓହରିଯିବା ଅଭିଯୋଗ କାରଣରୁ ଆଜି ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାର ସୂଚନା ମିଳିଛି । ସୁଚନା ଯୋଗ୍ୟ , ଅଗ୍ନିଶମ କର୍ମଚାରୀ ସଂଘ ପକ୍ଷରୁ ଗତ ସୋମବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ସେମାନଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ସେମାନଙ୍କୁ ନିଲମ୍ବନ କରିବା କେତେଦୂର ଠିକ ତାହାକୁ ନେଇ ଉଠିଛି ପ୍ରଶ୍ନ ।
ନିଲମ୍ବିତ ୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ ମୟୁରଭଞ୍ଜ ଚିତ୍ରଡା ଦମକଳ କେନ୍ଦ୍ରରୁ ୨ ଜଣ ,ନୟାଗଡ ଦଶପଲ୍ଲା ଅଞ୍ଚଳରୁ ୨ ଜଣ ଥିବା ବେଳେ ବାଲିଆପାଳରୁ ୨ ଜଣ ଅଗ୍ନିଶମ କର୍ମଚାରୀ ଅଛନ୍ତି । ସେ ସମସ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ନେଇ ଆଜି କଟକ ସ୍ଥିତ କେନ୍ଦ୍ରୀୟ ଫାୟାର ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନିଜ ହକ୍ ଓ ଅଧିକାରକୁ ମାଗି ନିଲମ୍ବିତ ହେବା ଘଟଣାକୁ ନେଇ ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଗ୍ନିଶମ କର୍ମଚାରୀଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ କେତେଦୂର ସ୍ୱାଗତଯାଗ୍ୟ ସେ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ ।