ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆରମ୍ଭ ହେବା ଦିନଠୁ ବିବାଦ ପିଛା ଛାଡୁନି । କେତେବେଳେ ଠକାମି ତ’ ପୁଣି କେତେବେଳେ ଦୁଷ୍କର୍ମ ଭଳି ସଂଗିନ ଅଭିଯୋଗ ଉଠୁଛି । ଆମେ କହୁଛୁ ଏୟାରଓଡିଶା କଥା । ଲାଗୁଛି ଯେପରି ଏୟାରଓଡିଶାକୁ ଏବେ ପଡିଛି ଶନିଦଶା । ଖାସ ଏଥିପାଇଁ ତ’ ପୁଣି ଆଉ ଏକ ଝଟକା ଲାଗିଛି ।
ବିମାନ ଉଡାଣ ପାଇଁ ଏୟାରଓଡିଶାକୁ ଦିଆଯାଇଥିବା ଲାଇସେନ୍ସକୁ ବାତିଲ କରାଯାଇଛି । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହାକୁୁ ବାତିଲ କରିଛନ୍ତି । ବିଭିନ୍ନ ବୈଷୟିକ ତୃଟି ଓ କର୍ମଚାରୀ ଅଭାବ ଥିବା ଦର୍ଶାଇ ବିମାନ ଉଡାଣ ନକରିବାକୁ ଏଏଆଇ ନିଷ୍ପତି ନେଇଛି । କେବଳ ଏତିକି ନୁହେଁ ଏୟାରଓଡିଶାର ସମସ୍ତ ପୂର୍ବାଞ୍ଚଳ ଉଡାଣକୁ ମଧ୍ୟ ବାତିଲ କରାଯାଇଛି । ୫ମାସ ମଧ୍ୟରେ ଏୟାରଓଡିଶା ୭୦ପ୍ରତିଶତ ବିମାନ ଉଡାଣ କରିନାହିଁ ।
ଏ ସମ୍ପର୍କରେ ପୂର୍ବରୁ ଝାରସୁଗୁଡା ବିଧାୟକ ନବ ଦାସ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣା ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖି ଜଣାଇଥିଲେ । ତେବେ ଏଭଳି ପରିସ୍ଥିତିରେ ୨ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଝାରସୁଗୁଡା ବିମାନବନ୍ଦର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।