ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜିଠାରୁ ବ୍ଲକସ୍ତରରେ ଆରମ୍ଭ ହୋଇଛି । ୪ଟି ବ୍ଲକର ୧୦୮ଟି ପଞ୍ଚାୟତ ଲାଗି ମୁଖ୍ୟମନ୍ତ୍ରୀ ମୋଟ ୨୯.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମାର୍ଚ୍ଚମାସ ବିଜୁ ଜୟନ୍ତୀରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଆଜି ବ୍ଲକସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଲୋକଙ୍କ ପ୍ରସ୍ତାବ କ୍ରମେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ୩୨ଟି ପଞ୍ଚାୟତ ପାଇଁ ମୋଟ ୮.୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡିଶାକୁ ଏକ ନମ୍ବର କରିବା ପାଇଁ ଗାଁର ବିକାଶ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଏହାମଧ୍ୟ କହିଛନ୍ତି, ରାଜ୍ୟର ବିକାଶ ଲାଗି ସେ ସବୁବେଳେ ଥ୍ରୀଟି ବି ଟ୍ରାନ୍ସପରେନ୍ସି, ଟିମ ୱାର୍କ, ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇଛନ୍ତି । ଆଗରୁ ଗାଁକୁ ଆସୁଥିବା ଟଙ୍କା ବିଷୟରେ ୪-୫ଜଣ ଲୋକ ଜାଣୁଥିବା ବେଳେ ଏବେ ଏକାସମୟରେ ହଜାର ହଜାର ଲୋକ ଜାଣୁଛନ୍ତି । ଏହା ହେଉଛି ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତାର ପ୍ରତିକ । ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକରୁ ଏହି ଅଭିଯାନ ପ୍ରଥମ କରି ଆରମ୍ଭ ହୋଇଥିଲା । କନିସିହାଟ ପଡିଆରେ ଅନୁଷ୍ଠିତ ଏହି ସଭାରେ ବହୁ ଲୋକେ ସାମିଲ ହୋଇଥିଲେ । ଆଗାମୀ ଗ୍ରାମଞ୍ଚଳରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟଲାଗି ସରପଞ୍ଚମାନଙ୍କୁ ଆର୍ଥିକ ରାଶୀ ପ୍ରଦାନ କରାଯାଇଥିଲା ।
ଏହି ଉତ୍ସବରେ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ, ପିଡି ଅମୃତ କୁଲେଙ୍ଗ, ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ, ଉପଜିଲ୍ଲାପାଳ ଇ ସିର୍ଦ୍ଧାଥ ଶଙ୍କର ସ୍ୱାଇଁ, ବିଡିଓ କୁମାର ନାଗଭୁଷଣ, ତହସିଲଦାର ଡ.ଶରତଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାସ, ବିର୍ଷ୍ଣୁପ୍ରୀୟା ନାୟକ ଓ ଭରତ ପାତ୍ରଙ୍କ ସମେତ ୧୦ହଜାରୁ ଅଧିକ ଲୋକେ ସାମିଲ ଥିଲେ ।
ରିପୋର୍ଟ: ନବୀନ ରାଜ ଆଚାରୀ