ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଚାହୁଁ ଚାହୁଁ ଭକୁଆ ବନାଉଥିଲେ । ସହଯୋଗ କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ । ଢ଼େରଦିନ ହେବ ଏଟିଏମ ଜରିଆରେ ଟଙ୍କା ଲୁଟ କରୁଥିବା ଏଭଳି ଏକ ଗ୍ୟାଙ୍ଗର ୨ଜଣଙ୍କୁ ଏବେ ଠାବ କରିଛି ପୁଲିସ । ସେମାନଙ୍କ ପାଖରୁ ନଗଦ ୨ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳର ପ୍ରଭାକର ପ୍ରଧାନ ଓ ଗଞ୍ଜାମର ଶଙ୍କର୍ଷଣ ସାହୁ ।ତେବେ ଶଙ୍କର୍ଷଣ ସାହୁ ଫେରାର ରହିଛି । ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ପୁଲିସ ଖୁଆଡକୁ ଆସିବା ପରେ ସେମାନେ କିଭଳି ଓ କେଉଁ କେଉଁ ସ୍ଥାନରୁ ଏମିତି କାରସାଦି କରି ଟଙ୍କା ହରିଲୁଟ କରିଛନ୍ତି ତାହା ଗୋଟି ଗୋଟି ବଖାଣିଛନ୍ତି । ସେପଟେ ଧରାପଡିଥିବା ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୁଲିସ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ବାୟୋଡାଟା ଖୋଜିଛି । ଉଚିତ ପ୍ରମାଣ ଆଧାରରେ ସମସ୍ତଙ୍କୁ ଲୁଟର ଟଙ୍କା ଫେରସ୍ତ କରାଯିବ ବୋଲି ପୁଲିସ ସୂଚନା ମିଳିଛି । ପୁଲିସର ଏଭଳି ପଦକ୍ଷେପକୁ ଲୋକେ ବେଶ ପ୍ରଶଂସା କରିଛନ୍ତି । ପୁଲିସ ରିପୋର୍ଟ ଅନୁସାରେ, ଏପ୍ରିଲ ୯ତାରିଖ ଦିନ ମାନସ ନାୟକ ନାମକ ଜଣେ ବ୍ୟକ୍ତି ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ପୁଲିସ କେସ ନମ୍ବର ୮୩/୧୮ରେ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା । ନୂଆକରି ଆସିଥିବା ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ ।
ଟିମରେ ସାମିଲ ହୋଇଥିଲେ ଗୋଳନ୍ଥରା, ଗୋପାଳପୁର ଓ ବିନେପୁର ପୁଲିସ । ବାସ ଏହାପରେ ଆରମ୍ଭ ହୋଇଥିଲା ମିଶନ ଏଟିଏମ ଲୁଟେରା । ପ୍ରତିଟି କ୍ଷେତ୍ରରେ ସବୁ ଘଟଣା ଉପରେ ନଜର ରଖିଥିଲେ ଏସପି । ଚାଲିଲା ମାରାଥନ ରେଡ । ୫ଟି ସ୍ଥାନରେ ଘାଣ୍ଟିବା ପରେ ମିଳିଥିଲା ସୁରାକ । ଏକ ବୁଲେଟ ନମ୍ବରକୁ ଆଧାର କରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୁଲିସ । ତେବେ ଗିରଫ ପ୍ରଭାକର ପୂର୍ବରୁ ମଧ୍ୟ ପୁଲିସ ସ୍କାନରକୁ ଆସିଥିଲେ ମଧ୍ୟ ମଝିରେ ଚକମା ଦେଦଇ ଫେରାର ହୋଇଯାଇଥିଲା । ତେଣୁ ପୁଲିସ ତଦନ୍ତକୁ ବେଶ ଚତୁରତାର ସହ ପ୍ରଭାକରକୁ ଗିରଫ କରିବା ପରେ ତା’ ପାଖରୁ ନଗଦ ୨ଲକ୍ଷ ଟଙ୍କା ଜବତ ହୋଇଥିଲା । ସେପଟେ ଜବତ ଟଙ୍କାକୁ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଖୋଦ ପୁଲିସ ଏସପି ନିଜ ହାତରେ ବାଣ୍ଟିଛନ୍ତି । ଏସପିଙ୍କ ଏଭଳି କାର୍ଯ୍ୟକୁ ପୂରା ବ୍ରହ୍ମପୁର ବାସୀ ସ୍ୱାଗତ କରିଛନ୍ତି ।
ରିପୋର୍ଟ ଅନୁସାରେ, ଗିରଫ ଲୁଟେରା ଦ୍ୱୟ ଏଟିଏମ ଆଗରେ ଭଦ୍ର ଲୋକ ପରି ଛିଡା ହେଉଥିଲେ । ମେସିନରେ କାରସାଦି କରି ଆସୁଥିବା ଲୋକଙ୍କୁ ଭକୁଆ ବନାଉଥିଲେ । ପରେ ସହଯୋଗ କରିବା ଆଳରେ ଏଟିଏମକୁ ଏକ୍ସଚେଞ୍ଜ କରି ଆକାଉଣ୍ଟରୁ ସବୁ ଟଙ୍କା ହରିଲୁଟ କରୁଥିଲେ । ଖାସ କରି ଏମାନେ ବୟସ୍କ ଲୋକଙ୍କୁ ଟାର୍ଗେଟ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଥିଲା ଅପରେସନ ଏଟିଏମ । ଢ଼େରଦିନ ଘାଣ୍ଟିବା ପରେ ଶେଷରେ ଜଣେ ଅଭିଯୁକ୍ତର ସୁରାକ ମିଳିଥିଲା । ତାକୁ ପଚରାଉଚରା କରିବା ପରେ ଅନ୍ୟଜଣଙ୍କ ପରିଚୟ ମିଳିଥିଲା । ଏବେ ବି ଆହୁରି ଅନେକ ଏହି ଗ୍ୟାଙ୍ଗରେ ଜଡିତ ଥିବା ଜଣାପଡିଛି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।