ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ଅନୁମାନ କରାଯାଉଥିଲା ଠିକ ତାହା ହିଁ ହେଲା । ବିଜେଡି ଛାଡିଲେ ବୈଜୟନ୍ତ । ମାନେ ସିଧା ସିଧା କହିବାକୁ ଗଲେ ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଖୁବ ଶୀଘ୍ର ସେ ସାଂସଦ ପଦବୀରୁ ମଧ୍ୟ ଇସ୍ତଫା ଦେଇଦେବେ ବୋଲି ଜଣାପଡିଛି । ସୋମବାର ଦଳ ସଭାପତିଙ୍କୁ ପତ୍ର ଲେଖି ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି ବୈଜୟନ୍ତ ।
ଗତ ଜାନୁଆରୀ ୨୪ରେ ତାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିଲା । ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ୩ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ବୈଜୟନ୍ତ ପଠାଇଛନ୍ତିି । ଯେଉଁଥିରେ ସେ ଦଳ ଲାଗି ସେ ଅଲୋଡା ହୋଇଯାଇଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ରହିଛି ପିତା ବଂଶିଧର ପଣ୍ଡାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ କୌଣସି ବିଜେଡି ନେତା ଯାଇନଥିବାରୁ ଏହା ତାଙ୍କୁ ବେଶ ବାଧିଛି ବୋଲି ବୈଜୟନ୍ତ ଜଣାଇଛନ୍ତି । ପିତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟ ପରେ ସେ ବାଚଷ୍ପତିଙ୍କୁ ଭେଟି ଏନେଇ ଅବଗତ କରାଇବେ ବୋଲି ସୂଚନା ମିଳିଛି ।