ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚୋରି ହେଲେ ପୁଲିସକୁ ଡାକ । ଦଙ୍ଗା ହେଲେ ପୁଲିସକୁ ଡାକ । କେହି ବାଟରେ ଯଦି ହଇରାଣ କଲା ସେଥିରେ ମଧ୍ୟ ପୁଲିସକୁ ଡାକ । ଏତିକି ନୁହେଁ ଘରେ ନିଜ ନିଜ ଭିତରେ ପାଟିତୁଣ୍ଡ ହେଲେ ବି ପୁଲିସକୁ ମଝିକି ଟାଣିବାକୁ ଆମେ ଆଦୌ ହେଳା କରିନଥାଉ । ତେବେ ଏଠି ପ୍ରଶ୍ନ ସବୁ କ୍ଷେତ୍ରରେ ପୁଲିସର ସହଯୋଗ ଲୋଡା ଯାଉଥିଲେ ମଧ୍ୟ କାହିଁକି ଆଜି ପୁଲିସ ଏତେ ବଦନାମ । ହୁଏତ ଏ ପ୍ରଶ୍ନର ଉତର ଦେବା ଅନେକଙ୍କ ପକ୍ଷରେ ଅସମ୍ଭବ ।
ତେବେ ଏହାର କିଛି କାରଣ ଖୋଜିବାକୁ ଏଟିଆର ଟିମ ଆରମ୍ଭ କରିଥିଲା ମିଶନ । ଯାହାର ନାଁ ରହିଥିଲା ବଦନାମ ପୁଲିସ । ସକାଳ ସାଢ଼େ ୧୦ । ସ୍ଥାନ ହାଇସିକ୍ୟୁରିଟି ଜୋନ ଏଜି ଛକ । ପୁଲିସ ପକ୍ଷରୁ ଚାଲିଥାଏ ଜୋରଦାର ଚେକିଂ । ଟିକେ ଅଟକି ଗଲୁ ସେଠାରେ । ଜଣେ ଭଦ୍ରବ୍ୟକ୍ତି ବିନା ହେଲେମେଟରେ ପୁଲିସ ହାବୁଡରେ ପଡିଲେ । ତେବେ ଫାଇନ କଥା ଶୁଣିବା ପରେ ବ୍ୟକ୍ତି ଜଣକ ଦେଖାଇଥିଲେ ତୋଡ । ଏଣୁ ତେଣୁ ପ୍ରଥମେ ଗପ କହିବା ପରେ ମୁଁ କ’ଣ ଜଣେ ବ୍ୟକ୍ତି ହେଲମେଟ ପିନ୍ଧିନି ବୋଲି ଓଲଟି ପ୍ରଶ୍ନ କରିଥିଲେ ପୁଲିସକୁ । କେବଳ ହେଲମେଟ ନୁହେଁ ପରେ ଆମେ ପହଁଚିଥିଲୁ ଏକ ମଦ ଦୋକାନ ସାମ୍ନାରେ ।
ମଦ ପିଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଧରି ଫାଇନ କାଟିବାକୁ କହିଥିଲା । ସେଠି ବି ସେହି ବ୍ୟକ୍ତି ସମାନ ଉତର ରଖିଥିଲେ ପୁଲିସକୁ । ଏହାପରେ ଆମେ ପହଁଚିଥିଲୁ ବ୍ୟସ୍ତବହୁଳ ଥାନା ନୟାପଲ୍ଲୀରେ । ସାଲିଆସାହିରେ ୨ଗୋଷ୍ଠୀ ଗଣ୍ଡଗୋଳ ଲାଗି ଥାନାକୁ ଆସିଥିଲେ । ପୁଲିସ ଉଭୟ ପକ୍ଷର କେତେକଙ୍କୁ ଅଟକ ରଖିଥିବା ବେଳେ ଉଭୟ ପକ୍ଷ ଲୋକ ମଧ୍ୟ ସମାନ ଅଭିଯୋଗ କରିଥିଲେ । ପୁଲିସ ହଇରାଣ କରୁଥିବା କଥା କହିଥିଲେ । ତେବେ ଏଇ କେତୋଟି ଘଟଣା ନୁହେଁ ଆମେ ଯେଉଁ ସବୁ ସ୍ଥାନରେ ରହି କିଛି ଘଟଣାକୁ ଯାଁଚ କରିଥିଲୁ , ସବୁଠି ଲୋକେ ପୁଲିସକୁ ହିଁ ଦୋଷ ଲଦିଥିଲେ । କିନ୍ତୁ କେହି ଜଣେ ହେଲେ ବି ନିଜ ଭୁଲକୁ ବିଲକୁଲ ସ୍ୱୀକାର କରିନଥିଲେ ।
ସେ ହେଲମେଟ ହେଉ କି’ ବିଚ ରାସ୍ତାରେ ମଦ ପିଇବା ଘଟଣା । ଯାହାକୁ ପୁଲିସ ଧରିଲା ସେହି ଓଲଟି ପୁଲିସ ଉପରେ ଦୋଷ ଲଦିଲା । ଏଠି ପ୍ରଶ୍ନ ଏମାନଙ୍କୁ ଧରିବା କ’ଣ ପୁଲିସର ଭୁଲ? ଆମେ ଏଥିପାଇଁ ଏ କଥା ଉଠାଉଛୁ ଜଣେ ଭଦ୍ରବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଧରାପଡି ଥାନାରେ ପହଁଚିଥିଲେ । ବୟସ୍କ ବ୍ୟକ୍ତି ହୋଇଥିବାରୁ ବୁଝାସୁଝା କରି ପୁଲିସ ତାଙ୍କୁ ଯିବାକୁ ଦେଇଥିଲା । ତେବେ ଏହା କ’ଣ ପୁଲିସର ଭୁଲ? କିନ୍ତୁ ଏହାକୁ ନେଇ ମଧ୍ୟ ପୁଲିସ ଉପରକୁ ଆଙ୍ଗୁଳି ଉଠାଇବାକୁ ଜମାରୁ ହେଳା କରିନଥିଲେ ଲୋକେ । ଓଲଟି ଆମକୁ ସୂଚନା ଦେଇ କହିଥିଲେ ହାତଗୁଞ୍ଜା ନେଇ ପୁଲିସ ତାଙ୍କୁ ଛାଡିଦେଲା । ଯେତେବେଳେ କି ବାସ୍ତବତା କିଛି ଅଲଗା ରହିଥିଲା ।
ଏ ତମାମ ଘଟଣାକୁ ଦେଖିଲେ ଅପରାଧୀଙ୍କୁ ଧରିଲେ ପୁଲିସ ଦାଉ ସାଜୁଛି ବୋଲି କୁହାଯାଏ । ଯଦିବା ଅନୁକମ୍ପା ଦେଖାଇ ଛାଡିଦିଏ ତେବେ ଲାଁଚ ନେଲା ବୋଲି ସାର୍ଟିଫିକେଟ ଦିଆଯାଏ । ତେବେ ଏମିତି କାହିଁକି? ଏନେଇ ଆମେ କେତେକ ବରିଷ୍ଠ ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲୁ । ମାନସିକତାର ଅଭାବ ବୋଲି ଆମକୁ ଉତର ମିଳିଥିଲା । ଯେ ପର୍ଯ୍ୟନ୍ତ ଆମେ ନିଜକୁ ନସୁଧାରିବା ଆଉ ସେଥିପାଇଁ ପୁଲିସ ଯଦି ଆମକୁ ସୁଧାରିବାକୁ ଚେଷ୍ଟା କରେ ତେବେ ପ୍ରତି କ୍ଷେତ୍ରରେ ପୁଲିସ ବଦନାମ ହେବାଟା ଥୟ ବୋଲି ସିଧାସଳଖ କହିଥିଲେ ବରିଷ୍ଠ ନାଗରିକ ।
ସେ ଏହାମଧ୍ୟ କହିଥିଲେ ଯୁଗ ବଦଳିବା ସାଙ୍ଗକୁ ଲୋକଙ୍କ ଚିନ୍ତାଧାରା ବଦଳୁଛି । ଛୋଟବଡ଼ ଆଉ ଦେଖାଯାଉନି । ପାଶ୍ଚ୍ୟାତ ଯୁଗରେ ଆସି ସମସ୍ତେ ବାଟବଣା । ସବୁ ବଳ ଆଉ ସାହସ ନେଇ ଅଯଥାରେ ଡେଉଁଛନ୍ତି । ତେଣୁ ପୁଲିସକୁ ଆଙ୍ଗୁଳି ଉଠାଇବାକୁ ପଛଘୁଁଚା ଦେଉନାହାନ୍ତି ଏମାନେ । ଏଥିରେ ସୁଧାର ନଆସିଲେ ଆଗକୁ ନିଜେ ହିଁ ଅସୁବିଧାରେ ପଡିବା ବୋଲି ବରିଷ୍ଠ ନାଗରିକମାନେ ସର୍ତକ କରାଇଛନ୍ତି ।
MANAS PANDA
Duty is God.I think Police doing his duty best.