ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଲଗାଣ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ନିଦରୁ ଉଠିଲା ବିଏମସି । ବିଏମସିକୁ ଲୋକଙ୍କ ଆକ୍ରୋଶ ଭୟ । ଶେଷରେ ଲଗାଣ ବର୍ଷାର ମୁକାବିଲା ଲାଗି ବିଏମସି ଅଧିକାରୀଙ୍କ ମୁଣ୍ଡରେ ଚେତା ପଶିଲା ।ସାଧାରଣ ଲୋକଙ୍କ ପାଇଁ ଜାରି କଲେ ଦୁଇ ଦୁଇଟି ହେଲ୍ପଲାଇନ ନମ୍ବର । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ନମ୍ବର ସାଙ୍ଗକୁ ସ୍ୱତନ୍ତ୍ର ଅପରେସନ ସେଣ୍ଟର ମଧ୍ୟ ଖୋଲିଛି ବିଏମସି ।
ରାଜଧାନୀରେ ପ୍ରତିବର୍ଷ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ପ୍ରତିବର୍ଷ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ଲୋକେ । ବଢିଚାଲିଛି ବିଏମସିର ଢିଲାପଣ । ଲୋକଙ୍କ ସମସ୍ୟା ଦୂର କରିବା ଛାଡି ବାହାନା ଖୋଜିବାରେ ବ୍ୟସ୍ଥ ରୁହେ ବିଏମସି । କିନ୍ତୁ ଏଥର କିଛି ନୁଆ କରିବାକୁ ଚେଷ୍ଟା କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ଲଗାଣ ବର୍ଷାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ଜାରି କରିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ନମ୍ବର ୦୬୭୪ ୨୪୩୨୨୮୧ । ସେହିପରି ଅପରେସନ ସେଣ୍ଟର ପାଇଁ ୧୮୦୦ ୩୪୫୦୦୬ ନମ୍ବରକୁ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇଛି । ଖାଲି ସେତିିକି ନୁହେଁ ରାଜଧାନୀରେ ଲଗାଣ ବର୍ଷାର ସ୍ଥିତି ଅନୁଧ୍ୟାନ ନିମନ୍ତେ ୬୭ଟି ଓ୍ୱାର୍ଡରେ ବିଏମ୍ସିର ୧୩ଟି ଟିମ୍ ନିୟୋଜିତ କରାଇଛି ବିଏମସି ।ଏହାସହ ୪୦ ଜଣ ଇଞ୍ଜିନିୟରଙ୍କୁ ମଧ୍ୟ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ।
କିନ୍ତୁ ପ୍ରଶ୍ନ ଉଠେ , ପୁର୍ବରୁ ଏପରି ବହୁ ପଦକ୍ଷେପ ବା ନମ୍ବର ନମ୍ବର ବିଏମସି ଜାରି କରିଥିଲେ ହେଁ ସେ ସବୁ ସାଧାରଣଲୋକଙ୍କ କାମରେ ଅସିପାରିନଥିବା ନଜୀର ରହିଛି । ବାରମ୍ବାର ବର୍ଷା ହେଉଛି , ସହରରେ ବର୍ଷାପାଣିର ଲହଡି ମାରୁଛି । ଯାନବାହାନ ଗମନାଗମନରେ ବହୁ ବାଧା ସୃଷ୍ଟି ହେଉଥିବା ବେଳେ ରାଜଧାନୀ ପାଇଁ ଡ୍ରେନେଜ ବ୍ୟବସ୍ଥା ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ପାଲଟିଛି । ବାରମ୍ବାର ବିଏମସିର ଖାମଖିଆଲି ମନୋଭାବ ଯୋଗୁ ଆଜି ସମଗ୍ର ଦେଶରେ ଭୁବନେଶ୍ୱରର ଜଳ ନିଷ୍କାସନ ପ୍ରଣାଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ବିଏମସି ଜାରି କରିଥିବା ନମ୍ବର ହେଲ୍ପଲାଇନ ନମ୍ବର ସାଧାରଣଲୋକଙ୍କ କାମରେ କେତେଦୂର ଆସିପାରୁଛି ତାହା ଦେଖିବାକୁ ବାକି ରହିଲା ।